ୟୁପିରେ ବିଶାଳ ପ୍ରତିରକ୍ଷା ପ୍ରଦର୍ଶନୀ : ସ୍ୱଦେଶୀ ଅସ୍ତ୍ର ନିର୍ମାଣରେ ରେକର୍ଡ କରିବ ଭାରତ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଭାରତର ଦ୍ବିବାର୍ଷିକ ସାମରିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ତଥା ଡିଫେନ୍ସ ଏକ୍ସପୋ କାର୍ଯ୍ୟକ୍ରମର ୧୧ ତମ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି। ଏହି ୫ ଦିନିଆ ପ୍ରତିରକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୋଦୀ କହିଛନ୍ତି, ଭାରତ ଏବେ ସ୍ବଦେଶୀ ଅସ୍ତ୍ର ନିର୍ମାଣରେ ନୂଆ ରେକର୍ଡ କରିବାକୁ ଯାଉଛିୁ। ସ୍ବାଧୀନତା ପରେ ଭାରତ ଏହାର ପୂର୍ଣ୍ଣ କ୍ଷମତାକୁ ପ୍ରୟୋଗ କରିବାରେ ବିଫଳ ହୋଇଥିଲା । ସେଥିପାଇଁ ଭାରତ ସବୁଠୁ ଅଧିକ ପ୍ରତିରକ୍ଷା ଆମଦାନି କରୁଥିଲା। କିନ୍ତୁ ସମୟ ବଦଳି ଯାଇଛି। ଭାରତ ଏବେ ପ୍ରତିରକ୍ଷା ରପ୍ତାନି ବୃଦ୍ଧି କରିଛି। ୨୦୧୪ରେ ଭାରତ ପ୍ରାୟ ୨୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ରପ୍ତାନି କରୁଥିଲା। କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଏହା ୧୭,୦୦୦ କୋଟିକୁ ବୃଦ୍ଧି ପାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ପ୍ରାୟ ୩୫,୦୦୦ କୋଟି ଟଙ୍କାର ପ୍ରତିରକ୍ଷା ରପ୍ତାନି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ମୋଦୀ କହିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରତିରକ୍ଷା ଲାଇସେନ୍ସ ଜାରି ହେବା ବୃଦ୍ଧି ପାଇଛି। ୨୦୧୪ରେ ଏହା ୨୧୦ ଥିବାବେଳେ ୫ ବର୍ଷ ମଧ୍ୟରେ ଏହା ୪୬୦କୁ ବୃଦ୍ଧି ପାଇଛି। ଭାରତ ଅନେକ ସ୍ବ‌ଦେଶୀ ଅସ୍ତ୍ର ନିର୍ମାଣ କରିଛି। ତୋପ, ବିମାନବାହୀ ଯୁଦ୍ଧପୋତ, ବୁଡ଼ାଜାହାଜ, ହାଲୁକା ଯୁଦ୍ଧବିମାନ , ଯୁଦ୍ଧ ‌ହେଲିକପ୍ଟର ଆଦି ଭାରତ ନିର୍ମାଣ କରିଛି। ଉତ୍ତରପ୍ରଦେଶ ଭାରତରେ ସବୁଠୁ ବଡ଼ ପ୍ରତିରକ୍ଷା ନିର୍ମାଣକାରୀ କେନ୍ଦ୍ରରେ ପରିଣତ ହେବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର