ଦେଓଘର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିହାରର ବାବାଧାମ ଦେଓଘରଠାରେ ନବନିର୍ମିତ ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ‌ମୋଦୀ କହିଲେ ଯେ ବାବାଙ୍କ ଧାମକୁ ଆସି ସଭିଙ୍କର ମନ ପ୍ରସନ୍ନ ହୋଇ ଯାଇଥାଏ। ଆଜି ଆମ ସମସ୍ତଙ୍କୁ ଦେଓଘରରେ ଝାଡ଼ଖଣ୍ଡର ବିକାଶକୁ ଗତି ପ୍ରଦାନ କରିବାର ସୌଭାଗ୍ୟ ମିଳିଛି। ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରୁ ଆଜି ୧୬ ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି। ଏହାଦ୍ବାରା ଝାଡ଼ଖଣ୍ଡର ଆଧୁନିକ ପରିବହନ, ଶକ୍ତି, ସ୍ବାସ୍ଥ୍ୟ, ଆସ୍ଥା ଓ ପର୍ଯ୍ୟଟନକୁ ବହୁତ ଅଧିକ ଶକ୍ତି ମିଳିଛି। ଆମେ ସଭିଏଁ ଦେଓଘର ଏୟାରପୋର୍ଟ ଏବଂ ଦେଓଘର ଏମ୍‌ସର ସ୍ବପ୍ନ ଦୀର୍ଘ ସମୟ ଧରି ଦେଖି ଆସୁଥିଲୁ। ଏହି ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି।

Advertisment

ଏହି ପ୍ରକଳ୍ପ ଦ୍ବାରା ଝାଡ଼ଖଣ୍ଡର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହଜ ହେବ ଏବଂ ବ୍ୟବସାୟ କାରବାର ପାଇଁ, ପର୍ଯ୍ୟଟନ ପାଇଁ, ରୋଜଗାର-ସ୍ବରୋଜଗାର ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଦ୍ବାରା ଝାଡ଼ଖଣ୍ଡ ବ୍ୟତୀତ ବିହାର ଏବଂ ପଶ୍ଚିମବଙ୍ଗର ମଧ୍ୟ ଅନେକ କ୍ଷେତ୍ରକୁ ପ୍ରତ୍ୟକ୍ଷ ଭାବରେ ଲାଭ ମିଳିବ। ଅର୍ଥାତ୍ ଏହି ପ୍ରକଳ୍ପ ପୂର୍ବ ଭାରତର ବିକାଶକୁ ତ୍ବରାନ୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ, ଆଜି ଯେଉଁ ୧୩ଟି ହାଇୱେ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ଏହାଦ୍ବାରା ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ସହିତ ବାକି ରାଜ୍ୟଗୁଡ଼ିକର ମଧ୍ୟ ଯୋଗାଯୋଗ ଦୃଢ଼ ହେବ। ମିର୍ଜାଚୌକୀଠାରୁ ଫରକ୍କା ମଧ୍ୟରେ ଯେଉଁ ଫୋର ଲେନ୍ ହାଇୱେ ପ୍ରସ୍ତୁତ ହେଉଛି, ତା’ଦ୍ବାରା ସମଗ୍ର ସାନ୍ତାଳ ପ୍ରଗଣାକୁ ଆଧୁନିକ ସୁବିଧା ମିଳିବାକୁ ଯାଉଛି। ରାଞ୍ଚି-ଜାମସେଦପୁର ହାଇୱେରୁ ଏବେ ରାଜଧାନୀ ଓ ଇଣ୍ଡଷ୍ଟ୍ରିଆଲ୍ ସିଟି ମଧ୍ୟରେ ଯାତ୍ରାର ସମୟ ଓ ପରିବହନ ଖର୍ଚ୍ଚ ବହୁତ କମିଯିବ। ପାଲମା ଗୁମଲା ସେକ୍‌ସନରୁ ଛତିଶଗଡ଼ ପର୍ଯ୍ୟନ୍ତ ଯୋଗାଯୋଗରେ ଉନ୍ନତି ଆସିବ। ପାରାଦୀପ ପୋର୍ଟ ଏବଂ ହଳଦିଆରୁ ପେଟ୍ରୋଲିୟମ୍‌ ପଦାର୍ଥକୁ ଝାଡ଼ଖଣ୍ଡକୁ ଆଣିବା ଆହୁରି ଅଧିକ ସହଜ ହୋଇଯିବ, ଶସ୍ତା ମଧ୍ୟ ହୋଇଯିବ। ରେଳ ନେଟ୍‌ୱର୍କରେ ମଧ୍ୟ ଆଜି ଯେଉଁ ବିସ୍ତାର ହୋଇଛି ଏହାଦ୍ବାରା ପୂରା କ୍ଷେତ୍ରରେ ନୂଆ ଟ୍ରେନ୍ ପାଇଁ ରାସ୍ତା ଖୋଲୁଛି, ରେଳ ପରିବହନ ଆହୁରି ଦୃଢ଼ ହେବାର ମାର୍ଗ ପ୍ରସ୍ତୁତ ହେଉଛି। ଏହି ସବୁ ସୁବିଧାର ସକାରାତ୍ମକ ପ୍ରଭାବ ଝାଡ଼ଖଣ୍ଡର ଉଦ୍ୟୋଗ ବିକାଶ ଉପରେ ମଧ୍ୟ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।