୨ ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର ୨ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍‌ଆଇଏ) । ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ । ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି । ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍‌ଷ୍ଟିଚ୍ୟୁସନ ଅଫ୍‌ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି । ସେହିଭଳି ଜୟପୁରସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଡିମ୍‌ଡି ୟୁନିର୍ଭସିଟିର ମର୍ଯ୍ୟାଦା ଦେଇଛି ।

ସୂଚନାଯୋଗ୍ୟ ଯେ ଆୟୁଷ ମନ୍ତ୍ରଣାଳୟ ୨୦୧୬ ମସିହା ଠାରୁ ପ୍ରତିବର୍ଷ ଧନ୍ୱନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସଭାବେ ପାଳନ କରିଆସୁଛି । ଏହି ଦିବସଟି ମଧ୍ୟ ଧନ୍‌ତେରସ ନାମରେ ଖ୍ୟାତ । ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀପଦ ନାଏକ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର, ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ. ଟେଡରସ ଆଧନମ୍‌ ଘେବ୍ରେୟେସସ୍‌ ଏହି କାର୍ଯ୍ୟକ୍ରମ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ସେ ଆୟୁଷ୍ମାନ ଭାରତ ଯୋଜନାକୁ ସାର୍ବଜନୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଓ ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ପ୍ରମାଣଭିତ୍ତିରେ ଭାରତରେ ପାରମ୍ପରିକ ଔଷଧର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ସ୍ୱାଗତ କରିବା ସହ ଏହାଦ୍ୱାରା ସ୍ୱାସ୍ଥ୍ୟସେବା ଜନିତ ଲକ୍ଷ୍ୟ ସହଜରେ ପୂରଣ ହୋଇପାରିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର