ଗାଜିଆବାଦ: ବହୁ ପ୍ରତୀକ୍ଷିତ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୃହତ ପ୍ରକଳ୍ପର ଉଦଘାଟନ କରିବେ। ତେବେ ଏହାର ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ି ନାହିଁ। କିନ୍ତୁ ଚଳିତ ମାସ ଶେଷ ଆଡ଼କୁ ଏହା ବ୍ୟବସାୟିକ ଭାବେ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସାହିବାବାଦର ରାପିଡ୍-ଏକ୍ସ ଷ୍ଟେସନରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିବା ସହ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ (ଏନସିଆରଟିସି)ର ବରିଷ୍ଠ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ଉପସ୍ଥାପନା କରି ସମସ୍ତ ପ୍ରାସଙ୍ଗିକ ବିବରଣୀ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।
ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସ କରିଡରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ ଏବଂ ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଦୁହାଇ ଡିପୋ ଭଳି ୫ଟି ଷ୍ଟେସନ ଏହା ମଧ୍ୟରେ ରହିବ। ଏହା ୧୨ ମିନିଟରେ ୧୭ କିଲୋମିଟର ଅତିକ୍ରମ କରିବ, ଯେଉଁଥିପାଇଁ ସାଧାରଣତଃ ସଡ଼କ ପଥରେ ୩୫ ମିନିଟରୁ ଅଧିକ ସମୟ ଲାଗିଥାଏ।
ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ରୁଟ୍ରେ ମୋଟ ୧୦ଟି ଟ୍ରେନ୍ ଚଳାଚଳ କରିବ ଏବଂ ଏଥିରେ ୧୭୦୦ ଯାତ୍ରୀଙ୍କ ପରିବହନ ହୋଇପାରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ସାହିବାବାଦରୁ ମିରଟ ଦକ୍ଷିଣ ପର୍ଯ୍ୟନ୍ତ ୪୨ କିଲୋମିଟର ଦୂରତା ଅତିକ୍ରମ କରିବ, ଯେଉଁଠାରେ ୪ଟି ଅତିରିକ୍ତ ଷ୍ଟେସନ କାର୍ଯ୍ୟକ୍ଷମ ହେବ। ରାପିଡ୍-ଏକ୍ସର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ ଏବଂ ଏହା ଭାରତରେ ସର୍ବୋଚ୍ଚ ସ୍ପିଡ୍ ଟ୍ରେନ୍ ହେବ। ଏହା ଦିଲ୍ଲୀରୁ ମିରଟର ଦୂରତା ମାତ୍ର ୫୫ ମିନିଟରେ ଅତିକ୍ରମ କରିବ। ଏହି ଟ୍ରେନ୍ ପ୍ରତି ୫-୧୦ ମିନିଟ୍ରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ରାପିଡ୍-ଏକ୍ସ ଏକ ଅତ୍ୟାଧୁନିକ, ଦ୍ରୁତ, ସୁରକ୍ଷିତ ଏବଂ ଆରାମଦାୟକ ପରିବହନ ସେବା ପ୍ରଦାନ କରିବ।