ଆଜି ‘ସାର୍କ’ ଦେଶମାନଙ୍କର ଭିଡିଓ କନ୍‌ଫରେନ୍‌ସ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ସାଉଥ୍‌ ଏସିଆନ୍‌ ଆସୋସିଏସନ୍‌ ଫର୍‌ ରିଜିଓନାଲ୍‌ କୋଓପରେସନ୍‌ (ସାର୍କ) ସଦସ୍ୟ ରାଷ୍ଟ୍ରମାନଙ୍କର ଭିଡିଓ କନ୍‌ଫରେନ୍‌ସ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନାଭାଇରସ୍‌ ସଂକ୍ରମଣ ରୋକିବା ନିମନ୍ତେ ଜନସମାଗମ ଏଡ଼ାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ଉପଦେଶର ପ୍ରସାର ପାଇଁ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଏହି ବୈଠକ ଆୟୋଜନ କରାଯାଇଛି।

କୋଭିଡ୍‌-୧୯ର (କରୋନାଭାଇରସ୍‌) ପ୍ରକୋପ ନିୟନ୍ତ୍ରଣ କରିବା ଏବଂ ତା’ ଉପରେ ଦୃଷ୍ଟି ରଖିବା ନିମନ୍ତେ ‘ସାର୍କ’ ସଦସ୍ୟ ଦେଶସମୂହ ସମ୍ମିଳିତ ଉଦ୍ୟମ କରିବା ନିମନ୍ତେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ।

Image Source: The Economic Times

ଏଥିପାଇଁ ଶନିବାର ଦିନ ଟୁଇଟ୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି: ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାର୍ଚ ୧୫ ତାରିଖ ସନ୍ଧ୍ୟା ୫ଟା ବେଳେ ଏକତ୍ର ହେଉଛୁ! ‘ସାର୍କ’ ସଦସ୍ୟ ଦେଶମାନଙ୍କର ଭିଡିଓ କନ୍‌ଫରେନ୍‌ସ୍‌ରେ ଭାରତର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅଞ୍ଚଳରେ ବ୍ୟାପୁଥିବା କୋଭିଡ୍‌-୧୯ର ମୁକାବିଲା ନିମନ୍ତେ କଠୋର ସମ୍ମିଳିତ ଉଦ୍ୟମ ନିମନ୍ତେ ଏଥିରେ ଉପାୟ କରାଯିବ।

ସମ୍ମିଳିତ ଉଦ୍ୟମ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ଆହ୍ଵାନକୁ ତୁରନ୍ତ ଗ୍ରହଣ କରିଥିଲେ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ, ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍‌, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ଅଶ୍‌ରଫ୍‌ ଘନି। ପାକିସ୍ତାନ ତରଫରୁ ଇମ୍ରାନ୍‌ ଖାଁଙ୍କର ସ୍ୱତନ୍ତ୍ର ସହକାରୀ ଡକ୍ଟର୍‌ ଜଫର୍‌ ମିର୍ଜା ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର