୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ଓଡ଼ିଶାର ୪ ଜିଲ୍ଲା ସ୍ଥାନ ପାଇବ

ନୂଆଦିଲ୍ଲୀ : ଆସନ୍ତା ମାସ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କର ମହତ୍ବକାଂକ୍ଷୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲାରୁ ୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ। ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ଉତ୍ତମ ପ୍ରଦର୍ଶନ କରିଥିବା ଦୁଇଟି ଜିଲ୍ଲା ନୂଆପଡ଼ା ଓ ରାୟଗଡ଼ା ଏବଂ ଖରାପ ପଦର୍ଶନ କରିଥିବା ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା କାର୍ୟ୍ୟକ୍ରମରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି।

ଗତବର୍ଷ ଜାନୁଆରି ମାସରେ ଦେଶର ସର୍ବାଧିକ ଅନୁନ୍ନତ ୧୧୭ଟି ଆକାଂକ୍ଷୀ ଜିଲ୍ଲା ଅନ୍ତର୍ଗତ ଚିହ୍ନଟ କରାଯାଇ ସେଗୁଡ଼ିକର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗୁରୁତ୍ବ ପ୍ରଦାନ କରାଯାଇଥିଲା। ପ୍ରଥମଥର ପାଇଁ ଏହି ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା ଓ କୃଷି ଭଳି ବିଭିନ୍ନ ସୂଚକାଂକ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ୩୦ଟି ଜିଲ୍ଲାର ସମୀକ୍ଷା କରିବେ। ନୀତି ଆୟୋଗର ସୂତ୍ର ଅନୁସାରେ, ବିଭିନ୍ନ ସୂଚକାଂକ ଆଧାରରେ ଦେଶର ୨୦ଟି ଆକାଂକ୍ଷୀ ଜିଲ୍ଲା ମାନଙ୍କର ଉତ୍ତମ ପ୍ରଦର୍ଶନ ହୋଇଥିବା ବେଳେ ୧୦ ଜିଲ୍ଲାରେ ପ୍ରଦର୍ଶନ ଭଲ ହୋଇନାହିଁ। ଉତ୍ତମ ପ୍ରଦର୍ଶନ କରୁଥିବା ୨୦ଟି ଜିଲ୍ଲା ମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶର ବଳରାମ ପୁର, ସୋମଭଦ୍ର ଓ ଚିତ୍ରକୁଟ୍ ବିହାରର ଶେଖାପୁରା ଓ ଔରଙ୍ଗାବାଦ କେରଳର ଵେନାଡ଼ ମଧ୍ୟପ୍ରଦେଶର ବାରଵାନୀ ଆସମର ବାରପେଟା ଓଡ଼ିଶାର ନୂଆପଡ଼ା ଓ ରାୟଗଡ଼ା ଭଳି ଜିଲ୍ଲା ସାମିଲ ଅଛି। ଖରାପ ପ୍ରଦର୍ଶନ କରିଥିବା ଦେଶର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ନାଗାଲାଣ୍ଡର କିପିରି, ଝାଡ଼ଖଣ୍ଡର ଗୁମଲା ଓ ଗରଵା, ରାଜସ୍ଥାନର ସିରୋହି, ଛତିଶଗଡ଼ର ନାରାୟଣପୁର, ଆସମର ଦୁବୁରି, ବିହାରର ସୀତାମଡ଼ି ଓ କାଥିହାର ଏବଂ ଓଡ଼ିଶାର ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସାମିଲ ଅଛି। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମରେ ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ସଚିବ ଓ ବିଭାଗୀୟ ସଚିବ ମାନଙ୍କ ଦ୍ବାରା ସ୍ଥିତି ସମ୍ପର୍କରେ ଅବଗତ କରାଯିବ। ଖରାପ ପ୍ରଦର୍ଶନ କରୁଥିବା ଜିଲ୍ଲାମାନଙ୍କୁ କିଭଳି ଭାବେ ବିକଶିତ କରାଯିବ ସେନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯିବ।

ପ୍ରକାଶଥ‌‌ାଉକି, ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା, କୋରାପୁଟ୍, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ଗଜପତି ଓ ଢେଙ୍କାନାଳ।

ସମ୍ବନ୍ଧିତ ଖବର