ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆୟତ୍ତ ବାହାରେ ହେବାରେ ଲାଗିଛି। ଏ ନେଇ ସମସ୍ତେ ଚିନ୍ତାରେ। କରୋନା ସ୍ଥିତି କ’ଣ ଓ ଏହାକୁ କିପରି ଆୟତ୍ତ କରାଯାଇ ପାରିବ ସେନେଇ ଆଜି ଦେଶର ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୋଦୀ ପ୍ରଥମେ ଅପରାହ୍ନ ୪.୩୦ରେ ବରିଷ୍ଠ ଡାକ୍ତରମାନଙ୍କ ସହ କଥା ହେବା ସହ ସଂଧ୍ୟା ୬ଟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଔଷଧ କମ୍ପାନିଗୁଡ଼ିକ ସହ କଥା ହେବେ।
ଆଜି ଦେଶରେ ଦିନକରେ ସର୍ବାଧିକ ୨ ଲକ୍ଷ ୭୩ ହଜାର ୮୧୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏପଟେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍ ସପ୍ଲାଏ ଓ ରେମିଡିସିଭିର୍ ପରି କରୋନା ଔଷଧର ଅଭାବକୁ ନେଇ କେନ୍ଦ୍ରରେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏ ନେଇ ଆହୁରି ସକ୍ରିୟ ହୋଇଛନ୍ତି।
ପୂର୍ବାହ୍ନ ୧୧.୩୦ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସ୍ଥିତି ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ। ମହାମାରୀ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଭାବେ ବୈଠକ କରି ସ୍ଥିତି ସମୀକ୍ଷା କରି ଚାଲିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ଦେଶରେ ସର୍ବାଧିକ ୨ ଲକ୍ଷ ୭୩ ହଜାର ୮୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୫ ମିଲିୟନ୍ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮,୭୬୯ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-40.jpg)