ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବେ ମୋଦୀ । ଆସନ୍ତାକାଲି ମହାକୁମ୍ଭରେ ସାମିଲ ହୋଇ ବୁଡ ପକାଇବେ ପ୍ରଧାନମନ୍ତ୍ରୀ । ଫେବ୍ରୁୟାରୀ 5 ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କର ପ୍ରୟାଗରାଜ ଗସ୍ତର କାର୍ଯ୍ୟକ୍ରମ ରହିଛି । ଯେଉଁଠି ସେ ପବିତ୍ର ମହାକୁମ୍ଭମେଳାରେ ସାମିଲ ହୋଇ ଗଙ୍ଗାରେ ସ୍ନାନ କରିବେ ।
ତେବେ ଆସନ୍ତାକାଲି ଦିନ 10ଟାରେ ପ୍ରୟାଗରାଜ ପହଞ୍ଚିବେ ପ୍ରଧାନମନ୍ତ୍ରୀ । କିଛି ସମୟ ବିଶ୍ରାମ ନେବା ପରେ ମହାକୁମ୍ଭନଗର ସ୍ଥିତ ଗଙ୍ଗା ନଦୀରେ ବୁଡ ପକାଇବେ ଏବଂ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ରହିବେ ।
ଆସନ୍ତାକାଲି ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅଛି ଆଉ ଏହି ସମୟରେ ମୋଦୀ ମହାକୁମ୍ଭରେ ବୁଡ ପକାଇବାକୁ ଯିବା କଥାକୁ ଟିକେ ଭିନ୍ନ ନଜରରେ ଦେଖୁଛନ୍ତି ରାଜନୈତିକ ବିଶାରଦମାନେ । ଦିଲ୍ଲୀରେ କ୍ଷମତାକୁ ଆସୁ ପାରୁନଥିବା ବିଜେପି ଏଥର ଦିଲ୍ଲୀରେ ସରକାର ଗଢିବାର ଆଶା ରଖିଛି । ଆଉ ଗତକାଲି ପର୍ଯ୍ୟନ୍ତ ହାଇଭୋଲଟେଜ ପ୍ରଚାର ବି କରିଛି । ଏହି ପରିପ୍ରେକ୍ଷୀରେ ମୋଦୀଙ୍କ ପ୍ରୟାଗରାଜ ଗସ୍ତ ଏକ ଭିନ୍ନ ସଙ୍କେତ ଦେଉଛି ।