ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ: ଉଦ୍‌ଘାଟନ କରିବେ ୯ଟି ମେଡିକାଲ୍‌ କଲେଜ୍‌

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଗସ୍ତ କରି ବାରାଣସୀରେ ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା’ର ଶୁଭାରମ୍ଭ କରିବେ। ଏଥିସହ ପ୍ରଧାନମନ୍ତ୍ରୀ ରାଜ୍ୟରେ ୯ଟି ମେଡିକାଲ୍‌ କଲେଜ୍‌ ମଧ୍ୟ ଉଦ୍‌ଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ‘ରିଲିଜ୍‌’ ଅନୁସାରେ, ବାରାଣସୀ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଟ. ୫୩୦୦/- କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିବେ।

‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା’ ବା ‘ପିଏମ୍‌ଏଏସ୍‌ବିଓ୍ଵାଇ’ ହେବ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ଥିବା ସର୍ବବୃହତ୍‌ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ଯୋଜନା ‘ଜାତୀୟ ସ୍ୱାସ୍ଥ୍ୟ ମିସନ୍‌’ ସହ ସଂଯୁକ୍ତ ହେବ।

Image Courtesy of NHP News

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ପିଏମ୍‌ଏଏସ୍‌ବିଓ୍ଵାଇ’ର ଉଦ୍ଦେଶ୍ୟ ହେଉଛି ଉଭୟ ନଗରାଞ୍ଚଳ ଓ ମଫସଲ ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିଶେଷକରି ଜଟିଳ ସ୍ୱାସ୍ଥ୍ୟ ସେବା ସଂସ୍ଥାନ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସଂସ୍ଥାନ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ପୂରଣ କରିବା। ଏହି ଯୋଜନା ୧୦ଟି ‘ହାଇ ଫୋକସ୍‌ ଷ୍ଟେଟ୍‌’ରେ ଥିବା ୧୭,୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରଗୁଡ଼ିକୁ ସହାୟତା ଯୋଗାଇବ। ଏହା ବ୍ୟତିରେକେ, ଏହି ଯୋଜନାରେ ସମସ୍ତ ରାଜ୍ୟରେ ୧୧,୦୨୪ ନଗରାଞ୍ଚଳ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ସ୍ଥାପନ କରାଯିବ।

୫ ଲକ୍ଷରୁ ଊର୍ଦ୍ଧ୍ୱ ଜନତା ଥିବା ଦେଶର ଜିଲ୍ଲାଗୁଡ଼ିକରେ ‘ଏକ୍ସକ୍ଲୁସିଭ୍‌ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ବ୍ଲକ୍‌’ ଜରିଆରେ ଜଟିଳ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ସେହିପରି, ବାକି ଜିଲ୍ଲାଗୁଡ଼ିକରେ ‘ରେଫେରାଲ୍‌’ ସେବା ମିଳିବ। ସମସ୍ତ ଜିଲ୍ଲାରେ ‘ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍‌ ହେଲ୍‌ଥ୍‌ ଲ୍ୟାବ୍‌’ ମଧ୍ୟ ସ୍ଥାପନ କରାଯିବ। ଉପରୋକ୍ତ ଲାବ୍ରୋଟରି ନେଟ୍‌ଓ୍ଵାର୍କ ମାଧ୍ୟମରେ ଲୋକେ ସବୁ ପ୍ରକାର ରୋଗ ନିଦାନ ସେବା ପାଇବେ।

ସମ୍ବନ୍ଧିତ ଖବର