ଭୋଟ ଦେବା ପାଇଁ ଗୁଜରାଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନେଲେ ମା’ଙ୍କ ଆଶୀର୍ବାଦ

ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ପୂର୍ବରୁ ଆଜି ଗୁଜରାଟରେ ପହଞ୍ଚି ମା’ ହୀର‌ାବେନଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମତଦାନ ପାଇଁ ସମସ୍ତ ପ୍ରଚାର କାମ ଶେଷ କରି ପ୍ରଧାନମନ୍ତ୍ରୀ ଘରକୁ ଯିବା ସହ ମା’ଙ୍କ ସହ କିଛି ସମୟ କଟାଇଥିବା ଦେଖିବାକୁ ମିଳିଛି। ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି।

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କ ଆଶୀର୍ବାଦ ନେବା ସହ ତାଙ୍କ ସହିତ ବସି ଚା’ ପିଉଛନ୍ତି। “ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଅହମଦାବାଦର ରାଣିପ ମତଦାନ ବୁଥରେ ଭୋଟ୍ ଦେବେ। ଟ୍ରାଫିକ ପାଇଁ ବିକଳ୍ପ ମାର୍ଗ ଯୋଜନା କରାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀମାନେ ଷ୍ଟାଣ୍ଡବାଇରେ ରହିବେ। ଜରୁରୀକାଳୀନ ସ୍ଥାନାନ୍ତର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି” ବୋଲି ଅହମଦାବାଦ ମ୍ୟୁନିସିପାଲ କର୍ପୋରେସନର ମୁଖ୍ୟ ଅଗ୍ନିଶମ ଅଧିକାରୀ ଅନିରୁଦ୍ଧ ଗଡଭି କହିଛନ୍ତି।

ତେବେ ଗୁଜରାଟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ କରିବାକୁ ସ୍ଥିର କରିଥିଲେ ନିର୍ବାଚନ କମିସନ। ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ ବୋଲି କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୮୨ଟି ଆସନ ମଧ୍ୟରୁ ୮୯ଟି ଆସ‌ନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଅବଶିଷ୍ଟ ୯୩ଟି ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏହା ସହ ଭୋଟ ଗଣନା ଡିସେମ୍ବର ୮ରେ ହେବ।

ସମ୍ବନ୍ଧିତ ଖବର