ନୂଆଦିଲ୍ଲୀ: ଏସିଆ କପରେ ଭାରତର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ୍ ପାକିସ୍ତାନକୁ 'ଅପରେସନ ସିନ୍ଦୂର' ରାତିର କଥା ମନେ ପକାଇ ଦେଇଛି, ଯେତେବେଳେ ଭାରତୀୟ ଲଢ଼ୁଆ ବିମାନ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ବୋମା ପକାଇଥିଲା। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଟ୍ୱିଟ୍ ପାକିସ୍ତାନର କଟା ଘା’ରେ ଚୂନ ଲଗାଇଛି। ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଭାରତ ସହିତ ଶାନ୍ତି ଏବଂ ବନ୍ଧୁତା ଆଶା କରିଥିବା ପାକିସ୍ତାନ ଏହି ଟ୍ୱିଟ୍ ପରେ ନିଜର ନିରାଶା ପ୍ରକାଶ କରି କହିଛି ଯେ, ଭାରତ ସହ ସମାଧାନର ଆଶା ଶେଷ ହୋଇଛି।
ରବିବାର ଦିନ, ଯେତେବେଳେ ଭାରତ ଏସିଆ କପର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରି ନବମ ଥର ପାଇଁ ଟାଇଟଲ ଜିତିଥିଲା, ସେତେବେଳେ ସମଗ୍ର ଦେଶ ଉତ୍ସବ ପାଳନରେ ବୁଡ଼ି ଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍ କରି ପାକିସ୍ତାନକୁ ଅପରେସନ ସିନ୍ଦୂର କଥା ମନେ ପକାଇ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଥିଲେ ଯେ, "କ୍ରୀଡା କ୍ଷେତ୍ରରେ ଅପରେସନ ସିନ୍ଦୂର। ଫଳାଫଳ ସମାନ - ଭାରତ ପୁଣି ଥରେ ଜିତିଛି। ଆମର କ୍ରିକେଟରମାନଙ୍କୁ ଅଭିନନ୍ଦନ।" ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିନନ୍ଦନ ବାର୍ତ୍ତା ପାକିସ୍ତାନକୁ ଆଘାତ ଦେଇଛି। ଭାରତ ବିରୁଦ୍ଧରେ ନିରନ୍ତର କଡ଼ା ମନ୍ତବ୍ୟ ଦେଉଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଶାନ୍ତି ଏବଂ ସମାଧାନର ପ୍ରସଙ୍ଗକୁ ମନେ ପକାଇବା ଆରମ୍ଭ କରିଛନ୍ତି।
#OperationSindoor on the games field.
— Narendra Modi (@narendramodi) September 28, 2025
Outcome is the same - India wins!
Congrats to our cricketers.
"ମୋଦୀ ଉପମହାଦେଶରେ କ୍ରିକେଟର ସଂସ୍କୃତି ଏବଂ ଆତ୍ମାକୁ ନଷ୍ଟ କରୁଛନ୍ତି। ସେ ଶାନ୍ତି ଏବଂ ସମସ୍ୟାର ସମାଧାନର ସମ୍ଭାବନାକୁ ନଷ୍ଟ କରିଦେଇଛନ୍ତି" ବୋଲି ଖ୍ବାଜା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି।
khawaja-asif | pm modi