ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବନ୍ଧୁ ତଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ତାଙ୍କର ଓ ତାଙ୍କ ପତ୍ନୀଙ୍କର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଘୋଷଣା କରି ଟୁଇଟ୍ କରିବାର କେଇ ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଥିଲେ, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡିଙ୍କ ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କାମନା କରୁଛି।
Wishing my friend @POTUS@realDonaldTrump and @FLOTUS a quick recovery and good health. https://t.co/f3AOOHLpaQ
— Narendra Modi (@narendramodi) October 2, 2020
ପୂର୍ବରୁ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ଆଜି ରାତିରେ ଫାଷ୍ଟ୍ ଲେଡି ଓ ମୁଁ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ତୁରନ୍ତ ଆମର କ୍ବାରେଣ୍ଟିନ୍ ଓ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିବୁ। ଏକାଠି, ଆମେ ଏଥିରେ ସଫଳ ହେବୁ!
ଟ୍ରମ୍ପ୍ଙ୍କର ଅନ୍ୟତମ ଘନିଷ୍ଠ ପରାମର୍ଶଦାତା ହୋପ୍ ହିକ୍ସ୍ଙ୍କର କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଦମ୍ପତି କୋଭିଡ୍-୧୯ ପରୀକ୍ଷା କରାଇଥିଲେ। ଦୁହେଁ ଭୂତାଣୁ ସଂକ୍ରମିତ ବୋଲି ପରୀକ୍ଷା ଫଳାଫଳରୁ ଜଣାପଡ଼ିଥିଲା।
ଏହା ପୂର୍ବରୁ ହିକ୍ସ୍ଙ୍କୁ ପ୍ରଶଂସା କରି ଟ୍ରମ୍ପ୍ ଟୁଇଟ୍ କରି ଲେଖିଥିଲେ, ତିଳେମାତ୍ର ବିରତି ନ ନେଇ କଠିନ ପରିଶ୍ରମ କରୁଥିବା ହୋପ୍ ହିକ୍ସ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଏଇମାତ୍ର ପରୀକ୍ଷାରୁ ଜଣାପଡ଼ିଛି। ଭୟାବହ! ଫାଷ୍ଟ୍ ଲେଡି ଓ ମୁଁ ଆମ ଫଳାଫଳକୁ ଚାହିଁ ରହିଛୁ। ଏ ମଧ୍ୟରେ, ଆମେ ଆମର କ୍ବାରେଣ୍ଟିନ୍ ବ୍ୟବସ୍ଥା କରିବୁ।