ସୀମାନ୍ତରେ ଶାନ୍ତି ରକ୍ ପାଇଁ ଦୁଇ ପକ୍ଷର ସେନା ଭିତରେ ଆନୁଷ୍ଠାନିକ ଯୋଗାଯୋଗ ସକ୍ରିୟ କରିବାକୁ ମୋଦି ଓ ଜିଙ୍କ ସହମତି

ନୂଆଦିଲ୍ଲୀ: ଉହାନ୍‌ ଠାରେ ପୁଙ୍ଖାନୁପୁଙ୍ଖ ଏବଂ ଫଳପ୍ରଦ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ସୀମାନ୍ତରେ ଶାନ୍ତି ବଜାୟ ରଖିବା ସହ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ରଣନୀତିଭିତ୍ତିକ ଓ ଆନୁଷ୍ଠାନିକ ଯୋଗାଯୋଗକୁ ସକ୍ରିୟ କରିବା ନିମେନ୍ତ ଏକମତ ହୋଇଛନ୍ତି।

ଭାରତ-ଚୀନ୍‌ ସୀମାନ୍ତାଞ୍ଚଳରେ ଶାନ୍ତି ବଜାୟ ରଖିବା ବଡ଼ କଥା ବୋଲି ଦୁଇ ନେତା ବୁଝିଛନ୍ତି। ବିଶ୍ୱାସ ଏବଂ ବୁଝାମଣା ନିମନ୍ତେ ଉଭୟ ଦେଶ ନିଜ ନିଜ ଦେଶର ସୈନ୍ୟବାହିନୀକୁ ରଣସଂଚାର ନିୟମାବଳୀ ଜାରି କରିବେ। ଏ କଥା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଖୋଜି ଭାରତ-ଚୀନ୍‌ ସୀମା ବିବାଦର ସମାଧାନପୂର୍ବକ ଏକ ସୁଗମ, ଗ୍ରହଣଯୋଗ୍ୟ ଏବଂ ପାରସ୍ପରିକ ବନ୍ଦୋବସ୍ତ କରିବେ।

ଶିଖର ବୈଠକରେ କୌଣସି ଚୁକ୍ତି ସ୍ୱାକ୍ଷରିତ ହୋଇ ନାହିଁ କି, କୌଣସି ଘୋଷଣା କରାଯାଇ ନାହିଁ। ଆତଙ୍କବାଦ ଯୋଗୁଁ ଉଭୟ ଦେଶ ସମ୍ମୁଖୀନ ହେଉଥିବା ସାଧାରଣ ବିପତ୍ତି ପ୍ରସଙ୍ଗ ଆଦି ବିଷୟ ମୋଦି ଓ ଜି ଉତ୍ଥାପନ କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଉଭୟ ଆହୁରି ଦୃଢ଼ ସହଯୋଗ କରିବାକୁ ପ୍ରତିବଦ୍ଧ ବୋଲି ବୈଦେଶିକ ସଚିବ କହିଛନ୍ତି।

ଆଜି ଦ୍ୱିତୀୟ ତଥା ଅନ୍ତିମ ଦିବସରେ ମୋଦି ଓ ଜି ପରସ୍ପରଙ୍କ ହୃଦୟ ଖୋଲା ଆଲୋଚନାରେ ମଗ୍ନ ଥିଲେ। ପୂର୍ବ ଜଳାଶୟ କୂଳେ କୂଳେ ଚାଲି ଚାଲି ଯାଇ ମୋଦି ଓ ଜି ଘର ଭଳି ସଜ୍ଜିତ ନୌକାରେ ବସିଥିଲେ। ତା’ପରେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ମଧ୍ୟାହ୍ନ ଭୋଜନ ସାରିବା ପରେ ମୋଦି ଭାରତ ଫେରି ଆସିବେ।

ସମ୍ବନ୍ଧିତ ଖବର