ନୂଆଦିଲ୍ଲୀ: ଆଗାମୀ ୩୧ ତାରିଖରେ ତିଆନଜିନ୍‌ରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଯାହାକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଅଡୁଆର କାରଣ ବନିପାରେ। 

Advertisment

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ପାଇଁ ଏହି ଦ୍ୱିପାକ୍ଷିକ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଭୟ ନେତା ଆମେରିକାର ଶୁଳ୍କ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ରହିଛି।

ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଯେଉଁଥିରେ ୨୦ରୁ ଅଧିକ ବିଶ୍ୱ ନେତା ଯୋଗଦେବେ। ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଉପସ୍ଥିତ ରହିବେ।

ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ଭାରତରେ ଏବେ ଚିନ୍ତାର କାରଣ ପାଲଟିଛି। ତେବେ ଆମେରିକାର ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ବି ପ୍ରତିକ୍ରିୟା ଦେଇନାହିଁ । ତେଣୁ କୁହାଯାଉଛି ଏହି କାରଣରୁ ଏବେ ଆମେରିକା ଭାରତର ନୀରବତାରେ ବିରକ୍ତ ହେଉଛି । ଆଉ ଏଥିପାଇଁ ଆମେରିକା ପୁଣିଥରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଇଙ୍ଗିତ କରିଛି । ଏପଟେ ଭାରତ-ଚୀନର ସାକ୍ଷାତ୍‌ ଆମେରିକାକୁ ଆହୁରି ବିରକ୍ତ କରାଇବ ବୋଲି ଚର୍ଚ୍ଚା ହେଉଛି। 

ଉଲ୍ଲେଖଯୋଗ୍ୟ, ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ୩୫ ପ୍ରତିଶତ ମହଙ୍ଗା ହୋଇଯିବ। ତାହା ୪୮୦୦ ‌କୋଟି ଡଲାରର ରପ୍ତାନିକୁ ସିଧାସଳଖ ପ୍ରଭାବିତ କରିବ।