୩ଦିନରେ ଆଗାମୀ ୩ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବେ ମୋଦୀ ସରକାର, ଆସନ୍ତା ସପ୍ତାହରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ସରକାର ଆଗାମୀ ୩ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବେ । କିଛିଦିନ ତଳେ ମୋଦୀଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇଥିଲା । ଏଥିରେ ଅନେକ ନୂଆ ନେତା ସାମିଲ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀମାନଙ୍କୁ ଅଦଳବଦଳ କରାଯାଇଥିଲା ।

ସେମାନଙ୍କ ସହ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳକୁ ନେଇ ଆଗାମୀ ସପ୍ତାହରେ ଏକ ୩ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସବୁ ମନ୍ତ୍ରାଳୟର କାର୍ଯ୍ୟର ସମୀକ୍ଷା କରାଯିବ ଓ ଆଗାମୀ ଦିନର ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ଏହା ବ୍ୟତୀତ ନୂଆ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଓ କାର୍ଯ୍ୟ ବାବଦରେ ସମସ୍ତ ବିବରଣୀ ପ୍ରଦାନ କରାଯିବ ।

ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ, ଆଇଟି ଓ ତୈଳ ଭଳି ଅନେକ ବିଭାଗର ମନ୍ତ୍ରୀଙ୍କୁ ବଦଳାଇଥିଲେ । ଏହି ସମୟରେ ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ସେହିସବୁ ରାଜ୍ୟର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ବର୍ଷ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ୭ଟି ରାଜ୍ୟରେ  ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ସରକାରଙ୍କ ମଳିନ ପଡିଥିବା ପ୍ରତିଛବିକୁ ସୁଧାରିବାକୁ ଏହି ବୈଠକରେ ବିଶେଷ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର