ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଭାରତ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ୪ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ଭାରତ-ନେପାଳର ଖୋଲା ସୀମା ଅବାଞ୍ଛିତ ତତ୍ତ୍ବଙ୍କ ଦ୍ବାରା ଦୁରୁପଯୋଗ ହେବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି କହିଛନ୍ତି ଯେ, ଖୋଲା ସୀମାର ଦୁରୁପଯୋଗ ନ ହେବା ବିଷୟରେ ଦୁଇ ଦେଶ ଭିତରେ ଆଲୋଚନା ହୋଇଥିବା ବେଳେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା। ରେଳପଥ, ଶକ୍ତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଚାରିଗୋଟି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଗତବର୍ଷ ଜୁଲାଇ ମାସରେ ପଞ୍ଚମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ଏହା ଦେଉବାଙ୍କର ପ୍ରଥମ ଭାରତ ତଥା ବିଦେଶ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ନେପାଳ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏପରି ସମୟରେ ହୋଇଛି ଯେତେବେଳେ ଭାରତ ନୂଆବର୍ଷ ପାଳନ କରୁଛି। ନେପାଳ ସହ ଆମର ସମ୍ପର୍କ ଐତିହାସିକ କାଳରୁ ଅତୁଟ ରହିଆସିଛି। ନେପାଳର ଶାନ୍ତି, ପ୍ରଗତି ଓ ବିକାଶର ଯାତ୍ରାରେ ଭାରତ ସବୁବେଳେ ଅଂଶୀଦାର ହୋଇ ରହିବ। ନେପାଳର ହାଇଡ୍ରୋପାୱାର ବିକାଶ ଯୋଜନାରେ ଭାରତୀୟ କମ୍ପାନିଗୁଡ଼ିକ ଅଧିକ ଅଂଶ ଗ୍ରହଣ କରିବା ଉପରେ ଉଭୟ ନେତା ସହମତ ହୋଇଥିଲେ। ନେପାଳ ତା’ର ବଳକା ଶକ୍ତି ଭାରତକୁ ଦେଉଥିବାରୁ ଏହା ନେପାଳର ଆର୍ଥିକ ବିକାଶରେ ସାହାଯ୍ୟ କରିବ ବୋଲି ମୋଦୀ କହିଥିଲେ।

Advertisment

ଆଜି ନେପାଳ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଜୟନଗର (ବିହାର)-କୁର୍ଥା ସେକ୍ସନ (ନେପାଳ) ୩୫ କିମି ସୀମାପାର ଟ୍ରେନ୍ ସେବା ଉଦ୍‌ଘାଟିତ ହୋଇଛି। ଏହା ଜୟନଗର-ବିଜଲପୁରା-ବାରଦିଦାସ ରେଳ ସଂଯୋଗର ଏକ ଅଂଶ ଯାହା କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଛି। ସୂଚନା ଅନୁସାରେ ନେପାଳର ୯୮ ପ୍ରତିଶତ ଟ୍ରାଞ୍ଜିଟ୍ ଟ୍ରେଡ୍ (ଗୋଟିଏ ଦେଶ ଦେଇ ଅନ୍ୟ ଦେଶରେ କାରବାର) ଭାରତ ଦେଇ ହୋଇଥାଏ ଏବଂ ନେପାଳର ୬୫ ପ୍ରତିଶତ ବାଣିଜ୍ୟିକ କାରବାର ଭାରତ ସହିତ ହିଁ ହୋଇଥାଏ।