ମୋଦୀଙ୍କ ଏକମାତ୍ର କାର୍ଯ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା : ରାହୁଲ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର ଏକମାତ୍ର କାମ ହେଉଛି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଓ ଘୃଣା ପ୍ରସାର କରିବା ।
ଗୁଆହାଟୀଠାରେ ଆୟୋଜିତ ଏକ ଜନସଭାରେ ଯୋଗଦେଇ ସେ କହିଛନ୍ତି ଯେ ମୋଦୀ ବିମୁଦ୍ରିକରଣ ଓ ଜିଏସଟି ପରି ପଦକ୍ଷେପ ନେଇ ଭାରତ ମାତାର ଶକ୍ତିକୁ କ୍ଷୀଣ କରୁଛନ୍ତି । ମୋଦୀଙ୍କ ଏକ ମାତ୍ର ଲକ୍ଷ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଓ ଲୋକମାନଙ୍କ ଅର୍ଥ ନେଇ ଶିଳ୍ପପତିମାନଙ୍କୁ ବାଣ୍ଟିବା ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ କହିଥିଲେ ଯେ ୨ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ । ଆସାମରେ କେତେ ଜଣ ନିଯୁକ୍ତି ପାଇଛନ୍ତି ? ମୋଦୀ ଲୋକମାନଙ୍କୁ ବ୍ୟାଙ୍କ ଆଗରେ ଲାଇନରେ ଛିଡ଼ା କରିଦେଲେ, କିନ୍ତୁ ଲୋକମାନଙ୍କ ଅର୍ଥକୁ ଶିଳ୍ପପତିମାନଙ୍କୁ ଦେଇଦେଲେ ।

ଶିଳ୍ପପତିମାନଙ୍କ ପାଇଁ ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି, କିନ୍ତୁ ଆସାମରେ କେତେଜଣ କୃଷକଙ୍କ ଋଣଛାଡ଼ କରାଯାଇଛି । ସେ କହିଛନ୍ତି ଯେ ଲୋକମାନେ ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ ବିଜେପି ସେମାନଙ୍କ କଥା ଶୁଣୁନାହିଁ । ଛାତ୍ରଛାତ୍ରୀମାନଙ୍କ ସ୍ୱରକୁ ଚାପିଦେବାକୁ ଚାହୁଁଛି । ଏହି ଦଳ ଯେଉଁଆଡ଼େ ଯାଉଛି ସେଠାରେ ଘୃଣାର ପ୍ରସାର କରୁଛି ।

ସମ୍ବନ୍ଧିତ ଖବର