କୋଭିଡ୍‌-୧୯ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା: ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗତ ସପ୍ତାହେ ହେବ ସମଗ୍ର ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍‌ଲାଇନ୍‌ ବୈଠକରେ ଯୋଗ ଦେଇ କହିଛନ୍ତି, ମହାମାରୀ ବିପକ୍ଷରେ ସର୍ବୋତ୍ତମ ଅସ୍ତ୍ର ହେଉଛି ଟିକା।

ଭାରତର କୋଭିଡ୍-୧୯ ଟିକାକରଣ ଅଭିଯାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରତି ଭାରତୀୟଙ୍କ ପାଇଁ ଏଇଟା ଗର୍ବର ବିଷୟ ଯେ, ପ୍ରାୟ ୯୨% ପ୍ରାପ୍ତ ବୟସ୍କ ଜନତାଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ସାରିଲାଣି। ଦେଶରେ ଦ୍ବିତୀୟ ଡୋଜ୍‌ ଟିକାକରଣ ମଧ୍ୟ ୭୦%ରେ ପହଞ୍ଚିଲାଣି।

ମୁଖ୍ୟମନ୍ତ୍ରୀମାନଙ୍କୁ ସେ କହିଲେ କି, ଚଳିତ ପୂଜାପର୍ବ ସମୟରେ ମଧ୍ୟ ଆମେ କଟକଣା କୋହଳ କରି ପାରିବା ନାହିଁ। ଅଧିକାଂଶ ଆକ୍ରାନ୍ତଙ୍କ ଚିକିତ୍ସା ଗୃହ ଏକାନ୍ତବାସରେ (ହୋମ୍ ଆଇସୋଲେସନ୍‌) କରାଯିବା ଉଚିତ। କେନ୍ଦ୍ର ସରକାର ଟେଲିମେଡିସିନ୍‌ ପାଇଁ ବ୍ୟବସ୍ଥା କରିଛନ୍ତି।

Image Courtesy of NDTV

ତୃତୀୟ ଲହର୍‌ ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି କରିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାଛଡ଼ା, ପ୍ରାୟ ୮୦୦ ‘ପେଡିଆଟ୍ରିକ୍‌ ୟୁନିଟ୍‌’ (ଶିଶୁଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର) ଗଠନ କରାଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାରମ୍ପରିକ ଘରୋଇ ଉପଚାର ମଧ୍ୟ ମହାମାରୀ ଦମନ ପାଇଁ ଉପକାରୀ ହୋଇପାରିବ।

ଏହି ଅନ୍‌ଲାଇନ୍‌ ବୈଠକରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍‌, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗସ୍ବାମୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌, ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଅଂଶଗ୍ରହଣ କରିଥିଲେ। ଏହା ବ୍ୟତିରେକେ, ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ମଧ୍ୟ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର