କରୋନା ସଂକ୍ରମଣର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ

ଏକାଠି ମୁକାବିଲା ପାଇଁ ସବୁ ରାଜ୍ୟକୁ ପ୍ରଶଂସା
ଭିଡିଓ କନଫରେନ୍ସିଂରେ ମୋଦୀ କହିଲେ, ସର୍ବନିମ୍ନ ଜୀବନହାନି ଆମର ଲକ୍ଷ୍ୟ
ରାଜ୍ୟ-କେନ୍ଦ୍ର ଏକାଠି କାମ କରିବେ
ମୁଖ୍ୟମନ୍ତ୍ରୀମାନେ ସ୍ଥିତି ଓ ସମ୍ବଳ କଥା ଜଣାଇଲେ

ଭୁବନେଶ୍ବର : ବିଶ୍ୱବ୍ୟାପୀ କରୋନା ସଂକ୍ରମଣର ମୁକାବିଲା ସେଭଳି ସନ୍ତୋଷଜନକ ନୁହେଁ। ଏହି ସଂକ୍ରମଣ ପୁଣିଥରେ ଯେ ନ ଲେଉଟିବ ଏଭଳି ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏଣୁ ଦେଶରେ କରୋନା ପାଇଁ ଯେପରି ବେଶି ଲୋକଙ୍କ ପ୍ରାଣହାନି ନହୁଏ ତାହା ବର୍ତମାନର ମୂଳ ଲକ୍ଷ୍ୟ ହେବା ଦରକାର। ଆଜି ଓଡ଼ିଶା ସମେତ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସତର୍କ କରାଇଛନ୍ତି। କେବଳ ସେତିକି ନୁହେଁ, ଏକଥା ବି ଜଣାଇ ଦେଇଛନ୍ତି ଯେ ଆଗାମୀ କେତେକ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା, ଚିହ୍ନଟୀକରଣ, ଏକାନ୍ତବାସ ଏବଂ କ୍ବାରାଣ୍ଟିନ ଭଳି ପ୍ରକ୍ରିୟାକୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କରିବାକୁ ପଡିବ। ଏଥିପାଇଁ ରାଜ୍ୟମାନେ ପ୍ରସ୍ତୁତ ରହିବା ଦରକାର।

ଅନ୍ୟପକ୍ଷରେ ଏଭଳି ଜଟିଳ ପରିସ୍ଥିତିରେ ନିରବଚ୍ଛିନ ସାହାଯ୍ୟ ଓ ପରାମର୍ଶ ପାଇଁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିବା ସହିତ ଏହି ପରିସ୍ଥିତିର ସାମ୍ନା କରିବା ପାଇଁ ଆବଶ୍ୟକ ସମ୍ବଳ ଆହରଣ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଏଥିସହିତ ନିଜ ନିଜ ରାଜ୍ୟରେ ସାମାଜିକ ଦୂରତ୍ୱ ରକ୍ଷା, ସଂଦିଗ୍ଧ ରୋଗୀମାନଙ୍କୁ ଚିହ୍ନଟ କରିବା, ନିଜାମୁଦ୍ଦିନ ମର୍କଜରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ବାରାଣ୍ଟିନରେ ରଖିବା, ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା, ମାନସିକ ସ୍ୱାସ୍ଥ୍ୟ ପରାମର୍ଶ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ସୁବଣ୍ଟନ ଓ ଦାଦନ ଶ୍ରମିକମାନଙ୍କ ଯତ୍ନ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

କୋଭିଡ୍-୧୯ ବା କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଥିଲେ। ଦେଶରେ କୋଭିଡ୍ ପ୍ରଭାବକୁ ସୀମିତ କରାଯାଇ ପାରିଥିବାରୁ ସେ ରାଜ୍ୟମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ, ଏହା ସମ୍ଭବ ହୋଇଛି ଏଇଥିପାଇଁଯେ ସବୁ ରାଜ୍ୟ ସଂକ୍ରମଣରୁ େରାକିବା ଲାଗି ଏକାଠି େହାଇ କାର୍ଯ୍ୟ କରିଛନ୍ତି। ଏହା ପ୍ରଶଂସନୀୟ। ତେବେ ରାଜ୍ୟମାନେ ଆବଶ୍ୟକ ଔଷଧପତ୍ର, ଔଷଧପତ୍ର ତିଆରି ପାଇଁ କଞ୍ଚାମାଲ ଏବଂ ମେଡିକାଲ ଉପକରଣର ଉପଯୁକ୍ତ ଯୋଗାଣ ଉପରେ ଗୁରୁତ୍ବ ଦେବା ଦରକାର। ବିଶେଷକରି କୋଭିଡ-୧୯ ରୋଗୀମାନଙ୍କ ପାଇଁ ପୃଥକ ଓ ଉତ୍ସର୍ଗୀକୃତ ହସ୍ପିଟାଲ ସୁବିଧା ତୁରନ୍ତ ହେବା ଉଚିତ୍। ଚିକିତ୍ସକମାନଙ୍କ ଅଭାବ ପୂରଣ କରିବା ନିମନ୍ତେ ଆୟୁଷ ଡାକ୍ତରମାନଙ୍କ ସେବା, ଅନଲାଇନ ତାଲିମ ଓ ପାରାମେଡିକାଲ ଷ୍ଟାଫ, ଏନସିସି ଓ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କୁ ଏ ଦିଗରେ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟ ଭିତରେ କାର୍ଯ୍ୟ କରୁଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଯେପରି ସମନ୍ବୟ ରହେ, ସେଥିପାଇଁ ଜିଲ୍ଲା ସ୍ତରରେ ପରିସ୍ଥିତି ପରିଚାଳନା ଗ୍ରୁପ ଗଠନ ଲାଗି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏସବୁଥିରେ ଜଣେ ଜଣେ ଜିଲ୍ଲା ପର୍ଯ୍ୟବେକ୍ଷକ ଅଧିକାରୀ ନିଯୁକ୍ତି ପାଇବା ଦରକାର। ସେହିଭଳି କେବଳ ଅଧିସ୍ୱୀକୃତ ପରୀକ୍ଷାଗାରରୁ ତଥ୍ୟ ସଂଗ୍ରହ କରାଗଲେ ଏହା ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ କରୋନା କ୍ଷେତ୍ରରେ ସଠିକ ଆକଳନ ଦେଇପାରିବ ବୋଲି ମୋଦୀ ସୂଚାଇଥିଲେ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ଥ ପ୍ରଦାନ ବେଳେ ବ୍ୟାଙ୍କଗୁଡିକରେ ଯେଭଳି ଅଯଥାରେ ଭିଡ଼ ନ ହୁଏ, ସେଥିପ୍ରତି ଯତ୍ନବାନ ହେବା ସହିତ ବର୍ତମାନ ଶସ୍ୟ ଅମଳର ସମୟ ହୋଇଥିବାରୁ ଲକଡାଉନ କାଳରେ ରାଜ୍ୟମାନେ କିଛି କୋହଳ ଅବଲମ୍ବନ କଲେ ମଧ୍ୟ ସାମାଜିକ ଦୂରତ୍ୱ ଯେପରି ବଜାୟ ରହେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରମାନେ ଶସ୍ୟ ସଂଗ୍ରହ ବେଳେ ଗ୍ରାମାଞ୍ଚଳରେ କିଛି ନୂଆ ପଦ୍ଧତି ଅବଲମ୍ବନ କରିବା ଦରକାର, ଯାହା ସାମାଜିକ ଦୂରତ୍ବ ରକ୍ଷା କରୁଥିବ ଓ ଚାଷୀକୁ ବି ସହାୟ ହେବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ବର୍ତମାନ ଯୁଦ୍ଧକାଳୀନ ପରିସ୍ଥିତିରେ ରୋଗ ସଂକ୍ରମଣର ନାଭି କେନ୍ଦ୍ରକୁ ଚିହ୍ନଟ କରି ଯେପରି ସଂକ୍ରମଣ ଅଧିକ ନ ବ୍ୟାପିବ ସେ ଦିଗରେ କାର୍ଯ୍ୟ କରିବାକୁ ପ୍ରାଥମିକତା ଦିଆଯିବା ଦରକାର। ଦେଶବ୍ୟାପୀ ଶାନ୍ତିର ବତାବରଣ ତଥା ଉନ୍ନତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖାଯିବା ଦରକାର। ରାଜ୍ୟ, ଜିଲ୍ଲା, ସହର ଓ ବ୍ଲକ ସ୍ତରରେ ଏହି ମହାମାରୀର ମୁକାବିଲା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହେବାକୁ ସମାଜସେବୀ ସଂଗଠନର କର୍ମକର୍ତାମାନଙ୍କୁ ମୋଦୀ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକଡାଉନର ଅବଧି ଶେଷ ହେବା ପରେ ସମଗ୍ର ଜନଜୀବନକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବା ନେଇ ଏକ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ଏହି ଉପାୟ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ୍ୟମାନେ ସର୍ବବିଧ ଉଦ୍ୟମ କରି ପ୍ରସ୍ତାବମାନ ପଠାଇବା ଦରକାର।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ଅବସରରେ ଲକଡାଉନକୁ ଅଧିକ କଡାକଡି ଭାବେ କେତେକ ରାଜ୍ୟରେ ପାଳନ କରିବାକୁ ଗୁରୁତ୍ୱ ଦେବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମଗୁଡିକୁ ଜିଲ୍ଲା ସ୍ତରରେ କଡାକଡି ଲାଗୁ କରିବା ପାଇଁ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶର ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ନିଜାମୁଦ୍ଦିନ ମର୍କଜ ଯୋଗୁଁ ବିଭିନ୍ନ ସ୍ଥାନକୁ ଏହା ବ୍ୟାପିବାର ସୂଚନା ସହ ଜିଲ୍ଲା ଓ ଅନ୍ୟାନ୍ୟ ତଳ ସ୍ତରରେ ଯେପରି ସଂକ୍ରମଣ ଅଧିକ ନ ହୁଏ ସେଥିପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ।

କେନ୍ଦ୍ର ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ପ୍ରଧାନ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଆଇସିଏମଆରର ମହାନିର୍ଦ୍ଦେଶକ ଏହି ମତ ବିନିମୟରେ ଅଂଶଗ୍ରହଣ କରିଥିଲେ। ସେହିଭଳି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବମାନେ ଏହି ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର