ଅହମଦାବାଦ୍‌ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ୧୪୪ ତମ ଜୟନ୍ତୀ ଉତ୍ସବ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନକୁ ପଟେଲଙ୍କ ସମ୍ମାନରେ ଉତ୍ସର୍ଗ କରିଛନ୍ତି। ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଆୟୋଜିତ କାର୍ଯ୍ୟକ୍ରମ‌ରେ ମୋଦୀ କହିଛନ୍ତି, ଜମ୍ମୁ କଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥାର ଅର୍ଥ ନୁହେଁ ଯେ କେବଳ ଜମି ଉପରେ ପାଚେରି ପକାଇବା । ଏହାଦ୍ବାରା ଦେଶର ଏକତା ଏବଂ ବିଶ୍ବାସ ଅଧିକ ମଜବୁତ ହୋଇଛି ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଂଚଳ ହେବା ପରିପ୍ରେକ୍ଷୀରେ ମୋଦୀ ଏଭଳି ମତ ରଖିଛନ୍ତି। ପଟେଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କ ସରକାର ଦେଶର ଅର୍ଥନୈତିକ, ସାମ୍ବିଧାନିକ ସଂହତି ଦିଗରେ କାର୍ଯ୍ୟ କରିଛନ୍ତି ଏବଂ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ ନିଷ୍ପତ୍ତି ନେଇଛନ୍ତି। ତେଣୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଦେଶର ପ୍ରଥମ ଗୃହ ମନ୍ତ୍ରୀଙ୍କ ପାଦତଳେ ଉତ୍ସର୍ଗ କରୁଛି ବୋଲି ମୋଦୀ କହିଛନ୍ତି। ଧାରା ୩୭୦ ଜମ୍ମୁ କଶ୍ମୀରକୁ ‌କେବଳ ବିଚ୍ଛିନତାବାଦ ଏବଂ ଆତଙ୍କବାଦ ଦେଇଥିଲା। ୩ ଦଶନ୍ଧୀର ଆତଙ୍କବାଦ କାର୍ଯ୍ୟକଳାପରେ ୪୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କିଛି ଶକ୍ତି ଭାରତର ବିବିଧତା ମଧ୍ୟରେ ଏକତାକୁ ବିଚ୍ଛିନତାବାଦ ଏବଂ ଆତଙ୍କବାଦ ଦ୍ବାରା ଧ୍ବଂସ କରିଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କେହି ଆମକୁ ପରାଜିତ କରିପାରିବେ ନାହିଁ ବୋଲି ମୋଦୀ କହିଛନ୍ତି।