ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା। ଭାରତ ଗସ୍ତ କାଳରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି କିଶିଦା। ଉଭୟ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦିଲ୍ଲୀସ୍ଥିତ ବୁଦ୍ଧ ପାର୍କ ଯାଇଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଫୁମିୟୋ କିଶିଦାଙ୍କୁ ପାରମ୍ପାରିକ ଖାଦ୍ୟ ଖୁଆଇଛନ୍ତି। କିଶିଦାଙ୍କୁ ଗୁପଚୁପ୍ ଖାଇବାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପରେ ଦୁହେଁ ମଧ୍ୟ ଲସି ପିଇଥିଲେ। ଏହାସହ ଫୁମିୟୋ କିଶିଦାଙ୍କୁ କଦମ୍ବ କାଠରେ ତିଆରି ଏକ ଜାଲି ବାକ୍ସରେ ଲାଗିଥିବା ଚନ୍ଦନ କାଠର ବୁଦ୍ଧ ମୂର୍ତ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି କଳାକୃତି କର୍ଣ୍ଣାଟକର ସମୃଦ୍ଧ ଐତିହ୍ୟ ସହ ଜଡିତ।

Advertisment

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଟେକ୍ନୋଲୋଜି, ଡିଜିଟାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିସହିତ ଲଜିଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ଏମ୍ଏସ୍ଏମ୍ଇ ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ମଧ୍ୟ ମେ ମାସରେ ହେବାକୁଥିବା ଜି-୭ ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ-ଜାପାନର ବୈଶ୍ବିକ ରଣନୀତିକ ଭାଗିଦାରୀକୁ ବିସ୍ତାର କରିବାକୁ ସଂକଳ୍ପ ନେଇଛନ୍ତି । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ଅଞ୍ଚଳ କିଭଳି ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ହେବ ଏହା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଦୁଇ ପ୍ରଧାନମନ୍ତ୍ରୀ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିବା ସହ ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ, ସ୍ୱାସ୍ଥ୍ୟ ଓ ଡିଜିଟାଲ ସହଭାଗିତା ଉପରେ ମଧ୍ୟ କଥାବାର୍ତ୍ତା କରିଛନ୍ତି।