ଦେଖନ୍ତୁ ଭିଡିଓ: ଜିନ୍‌ପିଙ୍ଗ୍‌ଙ୍କ ସହ ଦ୍ୱିତୀୟ ଦିନର ବୈଠକ ପୂର୍ବରୁ ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫିଟ୍‌ନେସ୍‌ ଏବଂ ସଫେଇ ଲାଗି ବଳିଷ୍ଠ ବାର୍ତ୍ତା ପ୍ରେରଣପୂର୍ବକ ଶନିବାର ବଡ଼ି ଭୋର୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଦ୍ୱିତୀୟ ଦିନର ଅନୌପଚାରିକ ବୈଠକ ପୂର୍ବରୁ ତାମିଲନାଡୁର ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ (ସକାଳ ବୁଲା ଓ ସଫେଇ) କରିଛନ୍ତି।

ଏହି ଦୃଶ୍ୟର ଭିଡିଓ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ସକାଳେ ମାମାଲ୍ଲାପୁରମ୍‌ ବେଳାଭୂମିରେ ପ୍ଲଗିଙ୍ଗ୍‌ କଲି। ୩୦ ମିନିଟ୍‌ ଯାଏଁ ଏହା ଚାଲିଲା। ସଂଗୃହିତ ବର୍ଜ୍ୟବସ୍ତୁ ସବୁକୁ ହୋଟେଲ୍‌ର ଅନ୍ୟତମ କର୍ମଚାରୀ ଜେୟାରାଜଙ୍କୁ ଦେଲି। ସର୍ବସାଧାରଣ ସ୍ଥାନ ସଫାସୁତୁରା ଅଛି ବୋଲି ଆମେ ନିଶ୍ଚିତ ହେବା ଜରୁରୀ! ଆମେ ଫିଟ୍‌ ଏବଂ ସ୍ୱାସ୍ଥ୍ୟବାନ୍‌ ଅଛନ୍ତି ବୋଲି ମଧ୍ୟ ନିଶ୍ଚିତ ହେବା କଥା।

‘ପ୍ଲଗିଙ୍ଗ୍‌’ର ଅର୍ଥ ଜଗିଙ୍ଗ୍‌ କି, ଚାଲିବା ସମୟରେ ଅଳିଆ ଗୋଟାଇବା। ପ୍ଲାଷ୍ଟିକ୍‌ ପ୍ରଦୂଷଣ ବଢ଼ିବା କାରଣରୁ ୨୦୧୬ରେ ଏହା ସ୍ୱିଡେନ୍‌ରେ ଏକ ସଙ୍ଗଠିତ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହେବା ପରେ ୨୦୧୮ରେ ଅନ୍ୟ ଦେଶକୁ ବ୍ୟାପି ଯାଇଥିଲା।

ଏହାଛଡ଼ା ‘ନୈସର୍ଗିକ ବେଳା ଧାରେ ଧାରେ ମାମାଲ୍ଲାପୁରମ୍‌ରେ ମନମୁଗ୍ଧକର ଚାଲିବା ଓ ବ୍ୟାୟାମ ପରିଚୟୋକ୍ତି ସହ ପ୍ରଧାନମନ୍ତ୍ରୀ ନୈସର୍ଗିକ ସୌନ୍ଦର୍ଯ୍ୟଭରା ବେଳାଭୂମିର କେତୋଟି ଫଟୋ ଟୁଇଟ୍‌ କରିଛନ୍ତି। ଖାଲି ପାଦରେ ବାଲୁକା ବେଳାରେ ଓ ପାଣିରେ ସେ ଚାଲୁଥିବାର ଦୃଶ୍ୟ ଏଥିରେ ରହିଛି।

ସମ୍ବନ୍ଧିତ ଖବର