ମୋଦୀ ଜିନପିଙ୍ଗ୍‌ଙ୍କୁ ଦେଲେ ଏହି ସ୍ୱତନ୍ତ୍ର ଦୀପ, ଯାହା ଗଢ଼ିବାକୁ ୮ କଳାକାର ନେଇଥିଲେ ୧୨ଦିନ ସମୟ

ଚେନ୍ନାଇ: ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ୍  ଶୁକ୍ରବାର ଦୁଇଦିନିଆ ଭାରତଗସ୍ତରେ ଆସିଥିଲେ । ତାଙ୍କ ବିମାନ ଚେନ୍ନାଇ ବିମାନବନ୍ଦରରେ ଓହ୍ଲାଇଥିଲା। ସେଠାରୁ ତାମିଲନାଡୁର ମହାବଳୀପୁରମ୍‌ରେ ସେ ପହଞ୍ଚି ଥିଲେ। ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମହାବଳୀପୁରମ୍ ପହଞ୍ଚି ଥିଲେ।

ମୋଦୀ ଜିନପିଙ୍ଗ୍‌କୁ ପ୍ରଥମେ ତୀର୍ଥସ୍ଥଳୀ ବୁଲାଇଥିଲେ ଓ ପରେ ବିଭିନ୍ନ ପ୍ରକାର ଉପହାର ଦେଇଥିଲେ। ଆଜି ଭାରତରୁ ଅଜସ୍ର ଭଲ ପାଇବା ସହ ମୋଦୀଙ୍କ ଏହି ଉପହାର ନେଇ ବେଜିଂ ଫେରିଯାଇଛନ୍ତି ଚୀନ ରାଷ୍ଟ୍ରପତି।

ଗତକାଲି ମୋଦୀ ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର କାରୁକାର୍ଯ୍ୟପୂର୍ଣ୍ଣ ଦୀପଟି ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଝଳେଇ ଦିଆଯାଇଛି। ଏହାକୁ ତିଆରି କରିବା ପାଇଁ ୮ଜଣ କଳାକାରଙ୍କୁ ୧୨ଦିନର ସମୟ ଲାଗିଥିଲା। ଏହାର ଓଜନ ୧୦୮ କେଜି ରହିଛି।

ଏହାବାଦ୍‌ ଏକ ୩ ଫୁଟ ଉଚ୍ଚର ଏକ ନୃତ୍ୟରତା ସରସ୍ୱତୀ ତାଞ୍ଜାଭୁର ଚିତ୍ରକଳା ମୋଦୀ ଜିଙ୍ଗ୍‌ପିଙ୍ଗ୍‌ଙ୍କୁ ଉପହାର ଦେଇଥିଲେ। ଏହି ଉପହାରରେ ତାମିଲନାଡୁର ସଂସ୍କୃତି ଓ ପରମ୍ପରାର ଝଲକ ରହିଛି। ଏହି ଚିତ୍ରକୁ ଚିତ୍ରଶିଳ୍ପୀ ଲୋଗନାଥନ୍‌ଙ୍କୁ ତିଆରି କରିବା ପାଇଁ ୪୫ଦିନର ସମୟ ଲାଗିଥିଲା। ଏହାକୁ ଗୋଟିଏ କାଠଫ୍ରେମ ଦ୍ୱାରା ବାଇଣ୍ଡିଂ କରାଯାଇଛି।

ସମ୍ବନ୍ଧିତ ଖବର