ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣାରେ ରୋଡ୍ ସୋ’ କଲେ ମୋଦୀ । ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମୋଦୀଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନର ଦୃଶ୍ୟ ବିହାରରେ ରାଜନୈତିକ ଦଳଙ୍କ ଅକଲ ଗୁଡୁମ୍ କରିଛି ।
ପଶ୍ଚିମବଙ୍ଗରୁ ସିଧା ପାଟଣା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟପାଳ ସ୍ବାଗତ କରିଥିଲେ । ମୋଦୀ ପାଟଣା ଏୟାରପୋର୍ଟରେ ଯାତ୍ରୀ ଟର୍ମିନାଲ ଭବନର ଉଦଘାଟନ କରିଥିଲେ ଓ ପରେ ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରୋଡ୍ ସୋ କରି ଯାଇଥିଲେ । ରାସ୍ତାର ଦୁଇ ପଟେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମଳିଥିଲା । ସବୁଠି ତ୍ରିରଙ୍ଗା ପତାକାର ଲହରୀ ଏବଂ ମୋଦୀଙ୍କ ଉପରେ ପୁଷ୍ପ ବର୍ଷା ହେଉଥିଲା ।
#WATCH | Bihar: PM Narendra Modi holds a roadshow in Patna.
— ANI (@ANI) May 29, 2025
Source: ANI/DD pic.twitter.com/rVVDVVJvYT
ଅପରେସନ୍ ସିନ୍ଦୂର ପରେ ମୋଦୀ ପ୍ରଥମ ଥର ପାଇଁ ବିହାର ଗସ୍ତରେ ଥିବା ବେଳେ ସବୁଠି ଅପରେସନ ସିନ୍ଦୂରର ଚର୍ଚ୍ଚା ହେଉଥିଲା ଏବଂ ମୋଦୀଙ୍କୁ ବଧାଇ ଜଣାଉଥିଲେ ଲୋକେ । ମୋଦୀ ରୋଡ ସୋରେ ଲୋକଙ୍କୁ ହାତ ହଲାଇ ସମ୍ବୋଧନ କରୁଥିଲେ ଆଉ ଲୋକେ ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବାକୁ ଭିଡ ଜମାଇଥିଲେ । ତେବେ ପ୍ରଶଂସକ ଡମ୍ବରୁ ଏବଂ ଢୋଲ ବଜାଇ ମୋଦୀଙ୍କୁ ସ୍ବାଗତ କରିଥିଲେ । ଅପରେସନ ସିନ୍ଦୂରର ପୋଷ୍ଟର ଏବଂ ଅପରେସନ ସିନ୍ଦୂର ଥିମରେ ମଞ୍ଚ ବି ବନ୍ଧା ହୋଇଥିଲା ।
ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାର୍ଟି ଅଫିସରେ ନେତା ମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବା ବେଳେ ଆଗାମୀ ନିର୍ବାଚନ ନେଇ ମନ୍ତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ମୋଦୀ ଆସନ୍ତାକାଲି ଜନସଭାକୁ ସମ୍ବୋଧିତ କରିବେ । ଆଜିଠୁ ୨ ଦିନିଆ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଗସ୍ତ ବେଳେ ବିହାରକୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଭେଟି ଦେବେ ମୋଦୀ । ତେବେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ମୋଦୀଙ୍କ ଗସ୍ତ ବେସ୍ ଗୁରୁତ୍ବ ରଖୁଛି । ବିହାର ନିର୍ବାଚନ ଉପରେ ବିରୋଧୀ ଫୋକସ କରୁଥିବା ବେଳେ ମୋଦୀଙ୍କ ଏହି ଗସ୍ତ ଏବଂ ରୋଡ୍ ସୋ ବିଜେପିକୁ ଫାଇଦା ଦେବ ନିଶ୍ଚୟ ।