ଝାଡ଼ଖଣ୍ଡ: ପୂର୍ବରୁ ଥିଲା ୩ ମେଡିକାଲ କଲେଜ, ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନରେ ଉଦ୍‌ଘାଟନ କଲେ ୩ ମେଡିକାଲ କଲେଜ

ହଜାରିବାଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ହଜାରିବାଗରେ ୩ ମେଡିକାଲ କଲେଜ ଏବଂ ରାମଗଡ଼ରେ ମହିଳା ଇଂଜିନିୟରିଂ କଲେଜର ନବନିର୍ମିତ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ମୋଦି ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଛନ୍ତି। ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପୂର୍ବରୁ ମୋଦି ଆଦିବାସୀ ସଂପ୍ରଦାୟର ଭଗବାନ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଛନ୍ତି।

ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ମୋଦି କହିଛନ୍ତି, ମୁଁ ପୂର୍ବରୁ ହଜାରୀବାଗ ଆସିଛି। ଏଠାକାର ଲୋକଙ୍କ ଭଲ ପାଇବାରେ ଶକ୍ତି ମିଳିଛି। ଗୁମଲାର ସହିଦ ବିଜୟ ସୋରେଙ୍ଗଙ୍କୁ ମନେ ପକାଇ ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥି ସହିତ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୋଦି ସହିଦ ପରିବାର ପ୍ରତି ଯତ୍ନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଗତ ୪ ବର୍ଷ ହେବ ଝାଡ଼ଖଣ୍ଡରେ ବିକାଶ ମୂଳକ କାମ କରାଯାଉଛି। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଆହୁରି ଦ୍ରୁତ ଗତିରେ ବଢ଼ାଇ ଦିଆଯିବ। ସ୍ମାର୍ଟଫୋନ୍‌ କିଣିବା ପାଇଁ ୨୦୦୦ ଟଙ୍କା ଲେଖାଏଁ ପାଇଥିବା ଚାଷୀଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ଗରିବ ଲୋକଙ୍କୁ ଆୟୁଷ୍ମାନ ଯୋଜନାରୁ ଲାଭ ମିଳୁଛି। ଜାମସେଦପୁର ଠାରେ ଆୟୁଷ୍ମାନ ଯୋଜନାରେ ଟ୍ୟୁମର ଅପରେସନ ଚିକିତ୍ସା ଉପଲବ୍ଧ କରାଯାଇଛି।

ଝାଡ଼ଖଣ୍ଡରେ ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ କାମ କରାଯାଉଛି। ତିନି ବର୍ଷ ତଳେ ରାଜ୍ୟରେ ମାତ୍ର ୩ ମେଡିକାଲ କଲେଜ ଥିବା ବେଳେ ଏବେ ଏହି ସଂଖ୍ୟା ୬କୁ ପଂହଚିଛି। ଗୋଟିଏ ଦିନରେ ସରକାର ୩ଟି ମେଡିକାଲ କଲେଜ ଖୋଲିଛନ୍ତି। ଏବେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମେଡିକାଲ ପାଠ ପଢ଼ିବାକୁ ଆହୁରି ସୁବିଧା ହୋଇଯିବ। ଏଥି ସହିତ ଲୋକେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବେ।

ସମ୍ବନ୍ଧିତ ଖବର