ଲଦାଖରେ ପ୍ରଧାନମନ୍ତ୍ରୀ : ଲେହରୁ ଚୀନ୍‌କୁ କଡ଼ା ବାର୍ତା, ବିସ୍ତାରବାଦର ଯୁଗ ଶେଷ

ଲେହ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଚାନକ ଲଦାଖ୍‌ ଗସ୍ତ କରି ଆଗୁଆ ଘାଟି ଅଞ୍ଚଳ ପରିଦର୍ଶନ କରିବା ସହ ଯବାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଗଲୱାନରେ ଚୀନ୍‌ ସେନା ସହ ସଂଘର୍ଷରେ ଆହତ ଯବାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭେଟି ସେମାନଙ୍କ ଉତ୍ସାହ ବଢ଼ାଇଛନ୍ତି। ପରେ ଯବାନମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ବୀର ଯବାନ ଗଲୱାନ ଘାଟିରେ ଅଦମ୍ୟ ସାହସ ଏବଂ ସେମାନଙ୍କ ପରାକ୍ରମର ପରାକାଷ୍ଠା ଦେଖାଇଛନ୍ତି। ଦେଶବାସୀ ଆପଣମାନଙ୍କ ପାଇଁ ଗର୍ବିତ। ସମଗ୍ର ଲଦାଖ୍‌ ଭାରତୀୟ ସେନାର ପରାକ୍ରମ ଓ ବୀରତ୍ବର ପ୍ରମାଣକୁ ବହନ କରୁଛି। ଚୀନ୍‌କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିସ୍ତାରବାଦର ଯୁଗ ସମାପ୍ତ ହୋଇଯାଇଛି। ଏବେ ବିକାଶର ଯୁଗ ଚାଲିଛି। ଇତିହାସ ସାକ୍ଷୀ ଅଛି, ବିସ୍ତାରବାଦୀ ଶକ୍ତିମାନେ ସର୍ବଦା ପରାଜିତ ହୋଇଛନ୍ତି କିମ୍ବା ପଛକୁ ହଟିବା ପାଇଁ ବାଧ୍ୟ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି. ଯେବେ ବି ମୁଁ ଜାତୀୟ ସୁରକ୍ଷା ଆଧାରିତ ନିଷ୍ପତ୍ତି ସଂପର୍କରେ ଚିନ୍ତା କରୁଛି, ମୁଁ ଦୁଇ ମାତାଙ୍କ ସଂପର୍କରେ ଚିନ୍ତା କରୁଛି। ପ୍ରଥମେ ଆମର ଭାରତ ମାତା ଏବଂ ପରେ ଆମର ମାତା ଯେଉଁମାନେ ଆପଣଙ୍କ ଭଳି ବୀରଙ୍କୁ ଜନ୍ମ ଦେଇଛନ୍ତି। ମୁଁ ଏବେ ମୋ ଆଗରେ ମହିଳା ସୈନିକଙ୍କୁ ଦେଖୁଛି। ସୀମାରେ ଯୁଦ୍ଧ କ୍ଷେତ୍ରରେ ଏହି ଦୃଶ୍ୟ ପ୍ରେରଣାଦାୟକ।

ଆମେ ବଂଶୀଧାରୀ କୃଷ୍ଣଙ୍କୁ ପୂଜା କରୁଛୁ, ଅନ୍ୟପଟେ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କୁ ମଧ୍ୟ ନିଜର ଆଦର୍ଶ ଭାବେ ଗ୍ରହଣ କରିଛୁ। ଆପଣମାନେ ଏଭଳି ମାଟିର ବୀର, ଯିଏ କି ହଜାର ହଜାର ବର୍ଷ ଧରି ଆକ୍ରମଣକାରୀଙ୍କ ଆକ୍ରମଣ ଏବଂ ଅତ୍ୟାଚାରର କଡ଼ା ଜବାବ ଦେଇଛନ୍ତି। ୧୪ କୋର୍‌ର ବୀର ଯବାନଙ୍କ ବୀରତ୍ବ ସଂପର୍କରେ ସମସ୍ତେ ଅବଗତ ଅଛନ୍ତି ଏବଂ ବିଶ୍ବ ଆପଣଙ୍କ ଅଦମ୍ୟ ସାହସକୁ ଦେଖିଛି। ବିଶ୍ବ ଆପଣଙ୍କ ଗୁଳିବର୍ଷାକୁ ଦେଖିଛି ଏବଂ ଆପଣଙ୍କ ଭିତରର ନିଆଁକୁ ବି ଦେଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗଲୱାନରେ ସହିଦ ହୋଇଥିବା ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ପରାକ୍ରମ ଏବଂ ସିଂହନାଦ ପାଇଁ ଦେଶ ସେମାନଙ୍କ ଜୟଗାନ କରୁଛି।

ପ୍ରଧାନମନ୍ତ୍ରୀ ଲଦାଖ୍‌ରେ ଚୀନ୍‌ ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ହସ୍ପିଟାଲରେ ଭେଟିଥିଲେ। ଏବେ ୧୮ ଜଣ ଯବାନ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରବରେଣଙ୍କ ସହିତ ଆଜି ସକାଳ ସାଢ଼େ ୯ଟାରେ ଲେହ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ସେଠାରୁ ନିମୁ ଆଗୁଆ ଘାଟିକୁ ଯାଇଥିଲେ। ସେଠାରେ ସେ ସ୍ଥଳସେନା, ବାୟୁସେନା, ଆଇଟିବିପି ଯବାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସିଡିଏସ୍‌ ରାୱତ ଲଦାଖ୍‌ ସ୍ଥିତି ସଂପର୍କରେ ମାନଚିତ୍ର ଦେଖାଇ ବୁଝାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଯବାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର