ବିଶ୍ବର ଦୀର୍ଘତମ ସୁଡ଼ଙ୍ଗ ପଥ ‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମନାଲି-ଲେହର ଦୂରତା ୪୬କିଲୋମିଟର ହ୍ରାସ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶର ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଏକ ବଡ଼ ଦିନ | ଆଜି ସେଠାରେ ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହୁ ବହନ କରୁଥିବା ‘ଅଟଳ ଟନେଲ୍’ ଉଦଘାଟିତ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ପଥ ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିବା ଜଣାପଡ଼ିଛି। ଏହି ଟନେଲର ଲମ୍ବ ୯.୦୨ କିଲୋମିଟର ହୋଇଥିବା ବେଳେ ଉଚ୍ଚତା ୩୦୦୦ମିଟର ରହିଛି |

ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୀର ପଞ୍ଜଲ ପାହାଡ଼ରେ ‘ଅଟଳ ଟନେଲ’ ନିର୍ମାଣ କରାଯାଇଛି। ଏହା ସମୁଦ୍ର ପତ୍ତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ | ‘ଅଟଳ ଟନେଲ୍’ ନିର୍ମାଣ ହେତୁ ମନାଲି ଏବଂ ଲେହ ମଧ୍ୟରେ ଦୂରତା ୪୬କିଲୋମିଟର ହ୍ରାସ ପାଇବା ସହ ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୪ରୁ ୫ ଘଣ୍ଟା ହ୍ରାସ ପାଇବ |

ମନାଲିଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ‘ଅଟଳ ଟନେଲ୍’ର ଆକୃତି ଘୋଡ଼ାର ପାଦ ପରି । ଏହାର ଦକ୍ଷିଣ ସୀମା ସମୁଦ୍ର ପତ୍ତନଠାରୁ ୩୦୬୦ମିଟର ଉଚ୍ଚରେ ଥିବା ବେଳେ ଲାହୌଲ ଉପତ୍ୟକାର ତାଲିଙ୍ଗ ଏବଂ ସିସୁ ଗ୍ରାମ ନିକଟରେ ଥିବା ଉତ୍ତର ସୀମା ସମୁଦ୍ର ପତ୍ତନଠାରୁ ୩୦୭୧ମିଟର ଉଚ୍ଚରେ ଅବସ୍ଥିତ |

୧୦.୫ ମିଟର ଚଉଡା ବିଶିଷ୍ଟ ଏହି ଟନେଲରେ ୩.୬ x ୨.୨୫ ମିଟର ପରିମିତ ଅଞ୍ଚଳରେ ଅଗ୍ନିରୋଧୀ ଜରୁରୀକାଳୀନ ପ୍ରସ୍ଥାନ ପଥ ନିର୍ମାଣ କରାଯାଇଛି | ‘ଅଟଳ ଟନେଲ୍’ରେ ଦିନକୁ ୩୦୦୦କାର୍ ଏବଂ ୧୫୦୦ ଟ୍ରକ୍ ୮୦ କିଲୋମିଟର ବେଗରେ ଚଳାଚଳ କରିପାରିବ | ‘ଅଟଳ ଟନେଲ’ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ୧୫୦ମିଟର ଦୂରତାରେ ଟେଲିଫୋନର ବ୍ୟବସ୍ଥା କରାଯାଇଛି, ଯାହା ଦ୍ବାରା ଜରୁରୀକାଳୀନ ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୋଇପାରିବ। ପ୍ରତି ୬୦ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି | ୨୫୦ମିଟର ଦୂରତାରେ ସିସିଟିଭି ସୁବିଧା ଉପଲବ୍ଧ ରହିଛି | ବାୟୁ ଗୁଣବତ୍ତା ଯାଞ୍ଚ କରିବା ପାଇଁ ପ୍ରତି ୧ କିଲୋମିଟର ବ୍ୟବଧାନରେ ମେସିନ୍ ଲଗାଯାଇଛି | ରୋହତଙ୍ଗ ପାସ୍ ଅଧୀନରେ ଏହାକୁ ଜୁନ୍ ୩, ୨୦୦୦ ରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ଭିତ୍ତିପ୍ରସ୍ତର ମେ‘ ୨୬, ୨୦୦୨ରେ ରଖାଯାଇଥିଲା |

ani

ଅଟଳ ଟନେଲ୍ ନିର୍ମାଣ କରିବ‌ା ପାଇଁ ୧୪,୫୦୮ ମେଟ୍ରିକ୍ ଟନ୍ ଷ୍ଟିଲ୍, ୨,୩୭,୫୯୬ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଥିବା ବେଳେ ନିର୍ମାଣ ପାଇଁ  ଅଷ୍ଟ୍ରିଆର ଟନେଲିଂ କୌଶଳ ବ୍ୟବହାର କରାଯାଇଥିଛି |

‘ଅଟଳ ଟନେଲ’ର ନାମ ପୂର୍ବରୁ ରୋହତଙ୍ଗ ଟନେଲ ରଖାଯାଇଥିଲା | ଡିସେମ୍ବର ୨୪, ୨୦୧୯ରେ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକୀରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନିତ କରିବା ପାଇଁ ରୋହତଙ୍ଗ ଟନେଲକୁ ‘ଅଟଳ ଟନେଲ’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର