ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ‘ଡକ୍ଟର୍‌ ଅମ୍ବେଦକର ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌’ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଏବଂ ‘ଅଟଳ ମିସନ୍‌ ଫର୍‌ ରିଜୁଭେନେସନ୍‌ ଆଣ୍ଡ୍‌ ଅର୍ବାନ୍‌ ଟ୍ରାନ୍‌ସଫର୍ମେସନ୍‌ ୨.୦’ ଯୋଜନାର ଶୁଭାରମ୍ଭ କରିଛନ୍ତି।

Advertisment

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସହରମାନଙ୍କୁ ଆବର୍ଜନା ମୁକ୍ତ କରିବା ହେଉଛି ସ୍ବଚ୍ଛ ଭାରତ ଅଭିଯାନ ୨.୦ର ଉଦ୍ଦେଶ୍ୟ। ଏହି ଦ୍ବିତୀୟ ପର୍ଯ୍ୟାୟରେ ଆମେ ନର୍ଦ୍ଦମା ଏବଂ ସୁରକ୍ଷା ପରିଚାଳନା ପାଇଁ ମଧ୍ୟ ଲକ୍ଷ୍ୟ ରଖିବା। ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ନାଳନର୍ଦ୍ଦମାର ଦୂଷିତ ପାଣି ଯେମିତି ନଦନଦୀରେ ନ ମିଶେ ସେଥିପ୍ରତି ସୁନିଶ୍ଚିତ ରହିବା।

ସ୍ବଚ୍ଛ ଭାରତ ଅଭିଯାନର ଦ୍ବିତୀୟ ପର୍ଯ୍ୟାୟ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ ମଧ୍ୟ ବି.ଆର୍‌. ଅମ୍ବେଦକରଙ୍କ ସ୍ବପ୍ନ ସାକାର କରିବାରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ‘ବି.ଆର୍‌. ଅମ୍ବେଦକର ସେଣ୍ଟର୍‌’ରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ। ସମାନତା ପାଇଁ ନଗରାଞ୍ଚଳ ବିକାଶ ଗୁରୁତ୍ବପୂର୍ଣ୍ଣ ବୋଲି ତାଙ୍କର ଧାରଣା ଥିଲା।

ଏବେ ଆଉ ଟଫି (ଚକ୍‌ଲିଟ୍‌) ଜରି ତଳେ ନ ଫୋପଡ଼ା ହୋଇ ପକେଟ୍‌ରେ ରଖାଯାଉଛି। ଆବର୍ଜନା ପକାଇ ଚାରିଆଡ଼ ଅପରିଷ୍କାର ନ କରିବା ପାଇଁ ପିଲାମାନେ ବୟସ୍କମାନଙ୍କୁ ସତର୍କ କରାଇ ଦେଉଛନ୍ତି। ଯୁବବର୍ଗ ବି ଉଦ୍ୟମ କରୁଛନ୍ତି। କେତେକ ଆବର୍ଜନାରୁ ଧନ ଉପାର୍ଜନ କରୁଥିବା ବେଳେ କେତେକ ସଚେତନତା ସୃଷ୍ଟି କରୁଛନ୍ତି। ସଚେତନତା ଥିବାରୁ ଶୁଷ୍କ ଏବଂ ଆର୍ଦ୍ର ଆବର୍ଜନାର ପୃଥକିକରଣ ହୋଇ ପାରିଛି।

publive-image Image Courtesy of ANI

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ, କେବଳ ଲକ୍ଷ ଲକ୍ଷ ଶୌଚାଳୟ କିଂବା ଆବର୍ଜନା ପ୍ରକ୍ରିୟାକରଣକୁ ୭୦%କୁ ଆଣିବା ଯୋଗୁଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପକୁ ‘ଜନ ଆନ୍ଦୋଳନ’ କରିଥିବାରୁ ‘ସ୍ବଚ୍ଛ ଭାରତ ମିସନ୍’ ସଫଳ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିଲିଜ୍ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁସାରେ ‘ଏସ୍‌ବିଏମ୍‌-ୟୁ ୨.୦’ ଏବଂ ‘ଅମୃତ ୨.୦’ ପ୍ରସ୍ତୁତ କରାଯାଇଛି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଏବଂ ଜଳ ଉପଲବ୍ଧ କରାଇବା ନିମନ୍ତେ ଥିବା ଆକାଙ୍‌କ୍ଷାକୁ ଉପରୋକ୍ତ ଯୋଜନା ସାକାର କରିବ। ଏଥିପାଇଁ ୧.୪୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଦେଶରେ ଦ୍ରୁତ ବେଗରେ ନଗରିକରଣ ହୋଇ ଚାଲିଥିବା ସମସ୍ୟାଗୁଡ଼ିକର ସଫଳ ମୁକାବିଲା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଅଭିଯାନ ଆଉ ଏକ ପାଦ ଅଗ୍ରସର ହେବାର ନିଦର୍ଶନ। ଏହା ମଧ୍ୟ ‘ସସ୍‌ଟେନେବଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଗୋଲ୍‌ ୨୦୩୦’ ପ୍ରକଳ୍ପରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲରେ ସହାୟକ ହେବ।