ଭିଡିଓ ମେସେଜ୍‌ ଜରିଆରେ ‘ସ୍ୱଚ୍ଛତା ହି ସେବା’ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ୍‌ ଜରିଆରେ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ ‘ସ୍ୱଚ୍ଛତା ହି ସେବା’ ଆରମ୍ଭ କରିଛନ୍ତି। ସମଗ୍ର ଦେଶରେ ପରିଚ୍ଛନ୍ନତାକୁ ଦୃଢ଼ନିଶ୍ଚିତ କରିବା ନିମନ୍ତେ ଅବଦାନ ଦେଇଥିବା ସ୍ୱେଚ୍ଛାଗ୍ରହୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଭିଡିଓ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପରିଚ୍ଛନ୍ନ ଭାରତର ସ୍ୱପ୍ନକୁ ସାକାର କରିବା ଏଇ ଅଭିଯାନର ଲକ୍ଷ୍ୟ।

ସରକାରଙ୍କର ସ୍ୱଚ୍ଛ ଭାରତ ଯୋଜନା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଗତ ଚାରି ବର୍ଷ ମଧ୍ୟରେ ଦେଶବ୍ୟାପୀ ୯ କୋଟି ପାଇଖାନା ନିର୍ମାଣ କରାଯାଇଛି। ସେ କହିଲେ ଯେ ୯୦% ଭାରତୀୟ ପାଇଖାନା ବ୍ୟବହାର କଲେଣି।

ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଆଜି ଦେଶବ୍ୟାପୀ ୪୫୦ ଜିଲ୍ଲା ବାହ୍ୟ ମଳମୁକ୍ତ ହୋଇ ପାରିଛି। ସେ ଆହୁରି କହିଲେ ଯେ ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ବାହ୍ୟ ମଳ ମୁକ୍ତ ହୋଇ ପାରିଛି।

‘ସ୍ୱଚ୍ଛତା ହି ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ। ଅଭିଯାନ ପୂର୍ବରୁ ଏଥିରେ ଅଂଶଗ୍ରହଣ କରିବାକୁ ପ୍ରଧାମନ୍ତ୍ରୀ ସବୁବର୍ଗର ପ୍ରାୟ ୨୦୦୦ ନାଗରିକଙ୍କୁ ପତ୍ର ଲେଖିଥିଲେ।

ମେହସନା, ଡିବ୍ରୁଗଡ଼, ମୁମ୍ବାଇ, କୋଏମ୍ବାଟୁର୍‌, ନୋଏଡ଼ା, ସିକ୍କିମ୍‌, ଦାନ୍ତେଓ୍ଵାଡ଼ା, ସାଲେମ୍‌, ଫତେପୁର, ପାଟନା, ସାହିବ, ରାଜଗଡ଼, ମାଉଣ୍ଟ୍‌ ଆବୁ, ଆଜ୍‌ମେର୍‌, ସିମ୍‌ଡେଗା, କୋଚି, ବେଙ୍ଗାଲୁରୁ, ବିଜ୍‌ନୋର୍‌ ଏବଂ ରେଓ୍ଵାରି ଆଦି ୧୮ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଏହି ଅଭିଯାନ ଉଦ୍ଘାଟନ କରିବା ସହ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର