ଏ ବର୍ଷ ଦୀପାବଳି ଜୈସାଲମେର୍ ସୀମାରେ ଯବାନଙ୍କ ସହ ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ମହାମାରୀ କରୋନା ସଂକ୍ରମଣ‌ ପାଇଁ ଏ ବର୍ଷ ବାଣ ଫୁଟାଇବା ଉପରେ କଟକଣା ରହିଛି ମାତ୍ର ଦୀପାବଳି ପାଳନର ମାନସିକତା ଲୋକଙ୍କ ଭିତରେ ସେହିପରି ରହିଛି। ପିଠାମିଠାରେ ପାଳନ କରାଯିବ ଏ ବର୍ଷର ଦୀପାବଳି ଉତ୍ସବ।

ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସାଲମେର୍ ସୀମାରେ ଯବାନଙ୍କ ସହ ମିଶି ଏ ବର୍ଷ ଦୀପାବଳି ପାଳନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ମୋଦୀ ପ୍ରଧାନମନ୍ତ୍ରୀ ହେବାଠାରୁ ପ୍ରାୟ ପ୍ରତିବର୍ଷ ଯବାନମାନଙ୍କ ଗହଣରେ ଦୀପାବଳି ପାଳନ କରି ଆସୁଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୋଦୀଙ୍କ ସହ ସିଡିଏସ୍‌ ଜେନେରାଲ୍‌ ବିପିନି ରାୱତ ମଧ୍ୟ ଏହି ଦୀପାବଳି ଉତ୍ସବ ପାଳନରେ ସାମିଲ୍‌ ହୋଇପାରନ୍ତି।

ପୂର୍ବ ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ଅବସରରେ ପାକିସ୍ତାନ ଏବଂ ଚୀନ୍ ସୀମାରେ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ମୋଦୀ ସୀମାନ୍ତଙ୍କୁ ଯାଇ ଯବାନମାନଙ୍କୁ ମିଠା ଦେବା ସହ ସେମାନଙ୍କ ସହ ଦୀପାବଳି ପାଳନ କରିଥାନ୍ତି।

ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁକାଶ୍ମରର ରାଜୌରୀକୁ ଯାଇ ନିୟନ୍ତ୍ରଣ ରେଖାଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ୨୦୧୮ ମସିହାରେ ମୋଦୀ ଉତ୍ତରାଖଣ୍ଡ ସୀମାନ୍ତକୁ ଯାଇଥିବା ବେଳେ ୨୦୧୭ ମସିହାରେ ଉତ୍ତର କଶ୍ମୀରର ଗୁରେଜ ସେକ୍ଟର ପରିଦର୍ଶନ କରିଥିଲେ। ସେହିପରି ୨୦୧୫ ମସିହାରେ ମୋଦୀ ପଞ୍ଜାବ ସୀମା ପରିଦର୍ଶନ କରିଥିଲେ। ୨୦୧୪ ମସିହାରେ ମୋଦୀ ପ୍ରଥମ କରି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ସେ ବର୍ଷ ସେ ଭାରତୀୟ ସେନାର ସିଆଚେନ ଗ୍ଲେସିୟର ବେସ କ୍ୟାମ୍ପ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର