ନୂଆଦିଲ୍ଲୀ: କୋଭିଡ ଟିକାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦଠାରେ ଯାଇ ପହଞ୍ଚି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦ ବିମାନ ବନ୍ଦରରୁ ଜାଇଡସ୍ ବାୟୋଟେକ୍ ପାର୍କରେ ଯାଇ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ମୋଦୀ ଟିକା ପ୍ରସ୍ତୁତି ନେଇ ଗବେଷକ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଟିକା ଉତ୍ପାଦନରେ ଅଗ୍ରଗତି ବିଷୟରେ ପଚାରି ବୁଝିଉନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଜାଇଡସ୍ ବାୟୋଟେକ୍ ପାର୍କ ଅହମଦାବାଦ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଅହମଦାବାଦ୍ରୁ ପ୍ରଧାନମନ୍ତ୍ରୀ ସିଧା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି। ହାଇଦ୍ରାବାଦ୍ରେ ପହଞ୍ଚି ସେଠାରେ ଥିବା ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ୍କୁ ଯିବେ। ସେଠାରେ ମଧ୍ୟ ଟିକା ପ୍ରସ୍ତୁତିକୁ ନେଇ ତଦାରଖ କରିବେ। ଶେଷରେ ତାଙ୍କର ପୁନେ ଗସ୍ତର ଯୋଜନା ରହିଛି। ପୁନେସ୍ଥିିତ ସେରମ୍ ଇନଷ୍ଟିଚ୍ୟୁଟ୍ ବୁଲି ବୈଜ୍ଞାନିକମାନଙ୍କ ସହ ଟିକା ପ୍ରସ୍ତୁତିକୁ ନେଇ ଆଲୋଚନା କରିବେ।
Ahmedabad: Prime Minister Narendra Modi arrives at the Zydus Biotech Park to review the development of #COVID19 vaccine candidate ZyCOV-D pic.twitter.com/8cBQNQVUrN
— ANI (@ANI) November 28, 2020
ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟରରେ ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ ସଂପର୍କରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ୩ଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ, ପ୍ରସ୍ତୁତି ଏବଂ ସ୍ଥିତି ସମୀକ୍ଷା କରିବେ। ଏହି ତିନି କମ୍ପାନୀର ଟିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ଭାରତରେ ଟିକାର ବିକାଶ, ପ୍ରସ୍ତୁତି ଓ ବଣ୍ଟନ ନେଇ ପ୍ରସ୍ତୁତ ରୋଡ୍ମ୍ୟାପ୍ର ସମୀକ୍ଷା କରିବେ।