ରୁଷ୍‌ର ଭ୍ଲାଦିଭୋସ୍ତକ୍‌ ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦ତମ ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକ ଏବଂ ‘ଇଷ୍ଟର୍ଣ୍ଣ ଇକୋନମିକ୍‌ ଫୋରମ୍‌’ର (ଇଇଏଫ୍‌) ପଞ୍ଚମ ବୈଠକରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ର ଭ୍ଲାଦିଭୋସ୍ତକ୍‌ ସହରରେ ପହଞ୍ଚିଛନ୍ତି।

ରୁଷ୍‌ର ଉପବୈଦେଶିକ ମନ୍ତ୍ରୀ ଇଗୋର୍‌ ମୋଗୁଲଭ୍‌ଙ୍କ ଉପସ୍ଥିତିରେ ଭ୍ଲାଦିଭୋସ୍ତକ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିଥିଲେ।

ଭ୍ଲାଦିଭୋସ୍ତକ୍‌ସ୍ଥିତ ଇଷ୍ଟର୍ଣ୍ଣ ଫେଡେରାଲ୍‌ ୟୁନିଭର୍ସିଟିରେ ଭାରତୀୟ ବଂଶୋଦ୍ଭବମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ରୁଷ୍‌ର ସୁଦୂର ପୂର୍ବ ସହରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି: ରୁଷ୍‌ର ସୁଦୂର ପୂର୍ବ ଚଳଚଞ୍ଚଳ ଅଞ୍ଚଳର ଛକରେ ଭ୍ଲାଦିଭୋସ୍ତକ୍‌ରେ ଅବତରଣ କଲି। ଏଇ ସ୍ୱଳ୍ପକାଳୀନ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ କେତେଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛି।

ବୈଦେଶିକ ସଚିବ ବିଜୟ ଗୋଖଲେ କହିଥିଲେ ଯେ ମାତ୍ର ୩୬ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ ଗସ୍ତରେ ଯାଉଛନ୍ତି। ଗୁରୁବାର ସନ୍ଧ୍ୟାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭ୍ଲାଦିଭୋସ୍ତକ୍‌ରୁ ଫେରିଆସିବେ।

ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ପାରସ୍ପରିକ ସ୍ୱର୍ଥଜଡ଼ିତ ଆନ୍ତର୍ଜାତିକ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବେ। ଏହାପରେ ଉଭୟ ପକ୍ଷ ପ୍ରତିରକ୍ଷା, ବାଣିଜ୍ୟ, ଅର୍ଥ ବିନିଯୋଗ, ଶିଳ୍ପ ସହଯୋଗ, ଶକ୍ତି ଏବଂ ସଂଯୋଗ କରିଡର୍‌ କ୍ଷେତ୍ରରେ କେତେଗୁଡ଼ିଏ ଚୁକ୍ତି ସ୍ୱାକ୍ଷର କରିବେ।

ସମ୍ବନ୍ଧିତ ଖବର