ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ପ୍ରଚଣ୍ଡ ଆତ୍ମବିଶ୍ୱାସର ଯୁଗରେ ପ୍ରବେଶ କରିଛି। ସେ କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ କୌଣସି ବାଧ୍ୟବାଧକତା ନୁହେଁ, ବରଂ ବିକଶିତ ଭାରତ ପାଇଁ ଆମ ପ୍ରସ୍ତୁତିର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଆଗାମୀ ଦଶନ୍ଧି ପାଇଁ ତିନୋଟି ମୁଖ୍ୟ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି, ତାହା ହେଲା- ସଂରଚନାତ୍ମକ ସଂସ୍କାର, ଗଭୀର ନବସୃଜନ, ଏବଂ ସରଳ ଶାସନ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ଏକ ସ୍ପଷ୍ଟ ରୋଡମ୍ୟାପ୍ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି।

Advertisment

୨୦୪୭ର ଲକ୍ଷ୍ୟ ହାସଲ କରିବାରେ ମହିଳାମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତି ମହିଳାଙ୍କ କଲ୍ୟାଣ ଦ୍ୱାରା ପରିଚାଳିତ ଏବଂ ନୂତନ ବଜେଟରେ ନାରୀ ଶକ୍ତିର ସଶକ୍ତ ଉପସ୍ଥିତି ପ୍ରତିଫଳିତ ହେଉଛି। ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ କେନ୍ଦ୍ରବିନ୍ଦୁରେ ରଖାଯାଇଛି। ଶ୍ରମ ଏବଂ ଶିଳ୍ପ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରି ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ନବସୃଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଖର୍ଚ୍ଚ ଉପରେ ନୁହେଁ, ବରଂ ଫଳାଫଳ-କୈନ୍ଦ୍ରିକ ପ୍ରଯୁକ୍ତିବିଦ୍ୟା ଉପରେ ଜୋର୍ ଦେବା। ସରଳ ଶାସନ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଉପରୁ ଅନାବଶ୍ୟକ ନିୟମର ବୋଝ କମାଇବା ଏବଂ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ଗଠନ କରିବା ହିଁ ଆମର ଲକ୍ଷ୍ୟ।

ଆହୁରି ପଢ଼ନ୍ତୁ: Sambad Sahitya Pakhya: ଦିବ୍ୟ-ଭବ୍ୟ-ଆଧ୍ୟାତ୍ମିକ ପରିବେଶରେ ଶେଷ ହେଲା ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣ

ସାରା ବିଶ୍ୱରେ ଆର୍ଥିକ ଅନିଶ୍ଚିତତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଅସ୍ଥିରତା ଭିତରେ ବି ଭାରତ ବିକାଶର ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି। ଭାରତର ସମ୍ଭାବ୍ୟ ଅଭିବୃଦ୍ଧି ହାର ୭%କୁ ବୃଦ୍ଧି ପାଇଛି। ସରକାର ସ୍ୱଳ୍ପକାଳୀନ ଲୋକପ୍ରିୟତା ପରିବର୍ତ୍ତେ ଭିତ୍ତିଭୂମି ଉପରେ ପୁଞ୍ଜି ବିନିଯୋଗ କରି ଦୀର୍ଘକାଳୀନ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଜାତୀୟ ନିରାପତ୍ତା ଉପରେ ସେ କହିଛନ୍ତି, ପ୍ରତିରକ୍ଷା ବଜେଟରେ ୧୫% ବୃଦ୍ଧି କରାଯାଇ ଏହାକୁ ୭.୮୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ସେହିଭଳି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ସ୍ଥିତିରେ ରହି ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ବଜେଟ୍‌ ଆମର ବର୍ତ୍ତମାନର ନିଷ୍ପତ୍ତିକୁ ଆଧାର କରି ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଭିତ୍ତି ସ୍ଥାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।