ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ସମ୍ବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ଡାକ୍ତର,ସ୍ବାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଦେଶର ସ୍ଥିତି ସୁଧାରିବା ପାଇଁ କରୋନା କଟକଣା କଡ଼ାକଡି କରାଯାଉଛି ବୋଲି କହିବା ସହ ଅମ୍ଲଜାନ ଯୋଗାଣ ନେଇ ଦେଖାଯାଇଥିବା ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ,ଦେଶର ଅନେକ ସ୍ଥାନରେ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି। ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବାକୁ କେନ୍ଦ୍ର, ରାଜ୍ୟ ସରକାର, ବେସରକାରୀ କ୍ଷେତ୍ର ଉଦ୍ୟମ କରୁଛନ୍ତି। ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି।

Advertisment

ଏହା ସହ ସେ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦେଶରେ ଉତ୍ପାଦନ ଦେଉଥିବା ଔଷଧ ଏବଂ ଟିକା ବିଷୟରେ କହିଥିଲେ। ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି ଏବଂ କୋଭିଡ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯାଉଥିବା ବିଷୟରେ ମଧ୍ୟ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି। କେତେକ ସହରରେ ବୃହତ  କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନା ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ। ଏହା ସହ ସେ କହିଥିଲେ, ଯେତେବେଳେ ପ୍ରଥମ ଲହର ଆସିଥିଲା ସେତେବେଳେ ଆମ ପାଖରେ ରୋଗ ସଂପର୍କରେ କୌଣସି ସୂଚନା ନଥିଲା। ପରୀକ୍ଷା କରାଇବା ଲାଗି ଲାବ୍ରୋଟୋରି ନଥିଲା। ଚିକିତ୍ସା ସଂପର୍କରେ କିଛି ବି ଜଣା ନଥିଲା। ଔଷଧ ବି ଉପଲବ୍ଧ ନଥିଲା। ମାତ୍ର ଏସବୁ କ୍ଷେତ୍ରରେ ଆମେ ଆଜି ଅନେକ ଆଗରେ ରହିଛେ। ଆମର ଗବେଷକମାନେ ଖୁବ୍ କମ୍ ସମୟ ଭିତରେ ଏହାର ଚିକିତ୍ସା ଲାଗି ଔଷଧ ଏବଂ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଛନ୍ତି। ଯାହା ଫଳରେ ଆଜି ବହୁ ଜୀବନ ବଞ୍ଚି ପାରୁଛି।

କୋଡିଡ୍ ଟିକାକରଣ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ନିର୍ମିତ ୨ଟି ଟିକା ସହିତ ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କଲା। ଅଦ୍ୟାବଧି, ୧୨କୋଟିରୁ ଅଧିକ ଟିକା ଦିଆଯାଇଛି। ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା।