ପ୍ୟାରିସ୍‌: ଚଳିତ ଅଲିମ୍ପିକ୍ସରେ ଭିନେଶ‌ ଫୋଗଟ ମାତ୍ର  ୨.୭ କେଜି ଓଜନ ହ୍ରାସ କରି ନପାରି ଅଯୋଗ୍ୟ ଘୋଷିତ ହୋଇଥିବା ଇଭେଣ୍ଟରେ ପୁରୁଷ‌ ଖେଳାଳି ଅମନ ସେହରାୱତ  ୧୦ ଘଣ୍ଟା ଭିତରେ ୪.୬ କେଜି ଓଜନ ହ୍ରାସ କରି ୫୭ କେଜି ଫ୍ରିଷ୍ଟାଇଲ୍‌ର କାଂସ୍ୟ ପଦକ ଜିତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି।

Advertisment

ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅମନଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ ତୁମେ ଦେଶବାସୀଙ୍କୁ ଖୁସି କରାଇ ଦେଇଛ। ଏଥିପାଇଁ ତୁମେ ଖୁବ ପରିଶ୍ରମ କରିଥିବା ବି ଆମେ ଜାଣିଛୁ। ପରିଶ୍ରମର ଫଳ କେବେ ବି ବୃଥା ଯାଏ ନାହିଁ। ତୁମେ ସବୁଠାରୁ କନିଷ୍ଠ ଖେଳାଳି ଯିଏକି ପଦକ ଜିତି ଦେଶକୁ ଫେରୁଛ। ତୁମ ପାଇଁ ଲମ୍ବା ସମୟ ଅଛି । ଏହି ଚଲାପଥରେ ତୁମେ ଆଗେଇ ଚାଲ। ମୁଁ ଜାଣିଛି ତୁମେ ତୁମ ବାପା ଓ ମା’ଙ୍କୁ ହରାଇବା ପରେ ଜୀବନରେ ଅନେକ ସଂଘର୍ଷ କରିଛ। ଭଗବାନଙ୍କୁ ଏତିକି କାମନା ତୁମର ଆଗାମୀ ଭବିଷ୍ୟତ ଉଜ୍ଜ୍ବଳ ହେଉ।’

ମୋଦୀଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଅମନ ପ୍ରତିକ୍ରିୟ‌ା ଦେଇ କହିଛନ୍ତି ଯେ,‘ ଦେଶ ପାଇଁ ମୋତେ ଅନେକ କିଛି କରିବାର ଅଛି। ଦେଶକୁ ଅନେକ ପଦକ ଦେବାର ଅଛି। ୨୦୨୮ ମସିହାରେ ମୁଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିବି । ଏଥିପାଇଁ ମୋତେ ଖୁବ ପରିଶ୍ରମ କରିବାକୁ ପଡ଼ିବ। ଯାହାର ପ୍ରସ୍ତୁତି ମୁଁ ଖୁବଶୀଘ୍ର ଆରମ୍ଭ କରିଦେବି। ’