ସେପ୍ଟେମ୍ବର ୨୩ରେ ସିକିମ୍‌ର ପ୍ରଥମ ବିମାନ ବନ୍ଦର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଗ୍ୟାଙ୍ଗ୍‌ଟକ୍‌: ପାକ୍‌ୟୋଙ୍ଗ୍‌ ଠାରେ ରାଜ୍ୟର ପ୍ରଥମ ବିମାନ ବନ୍ଦର ଉଦ୍ଘାଟନ କରିବାକୁ ସେପ୍ଟେମ୍ବର ୨୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକିମ ଗସ୍ତରେ ଆସିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିମାନ ବନ୍ଦର ଉଦ୍‌ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ପାକ୍‌ୟୋଙ୍ଗ୍‌ସ୍ଥିତ ସେଣ୍ଟ୍‌ ଜାଭିୟର୍ସ ସ୍କୁଲ୍‌ ପ୍ରାଙ୍ଗଣରେ ଏକ ସାଧାରଣ ସଭାରେ ଭାଷଣ ଦେଇ ସେହି ଦିନ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ମୁଖ୍ୟ ସଚିବ ଏ କେ ଶ୍ରୀବାସ୍ତବ କହିଛନ୍ତି।

ଗ୍ୟାଙ୍ଗ୍‌ଟକ୍‌ ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଗ୍ରିନ୍‌ଫିଲ୍‌ଡ୍‌ ଏୟାର୍‌ପୋର୍ଟ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସିକିମକୁ ସ୍ଥାନ ଦେବ। ମୁଖ୍ୟ ସଚିବ କହିଛନ୍ତି: ମୁଁ ସହର୍ଷ ଜଣାଉଛି କି, ମାନ୍ୟବର ପ୍ରଧାନମନ୍ତ୍ରୀ ଦ୍ୱିତୀୟ ବାର ସିକିମ ଗସ୍ତରେ ଆସୁଛନ୍ତି ଏବଂ ଏଥର ସେ ପାକ୍‌ୟୋଙ୍ଗ୍‌ ବିମାନ ବନ୍ଦର ଉଦ୍‌ଘାଟନ କରିବେ। ୨୦୧୮ ମସିହା ମାର୍ଚ ମାସରେ ସେଠାରେ ଦୁଇ ଦୁଇ ଥର ପରୀକ୍ଷାମୂଳକ ଉଡ଼ାଣ ଅବତରଣ କରାଯାଇ ବିମାନ ବନ୍ଦର ପ୍ରସ୍ତୁତି ସରିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ବିମାନ ବନ୍ଦର ଉଦ୍‌ଘାଟନ କଥା ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି।

ସେପ୍ଟେମ୍ବର ୨୩ ତାରିଖରେ ଆନୁଷ୍ଠାନିକ ଉଦ୍‌ଘାଟନ ହେବା ପରେ ବିମାନ ବନ୍ଦରରୁ ଅକ୍ଟୋବର ପ୍ରଥମ ସପ୍ତାହରେ ବ୍ୟାବସାୟିକ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର