ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଯଥା ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି) ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଅନ୍ତର୍ଭୁକ୍ତ ଯେଉଁଗୁଡ଼ିକ ପ୍ରୟାଗରାଜରେ ଭିତ୍ତିଭୂମି ବିକାଶ କରିବା ସହ ଯାତାୟାତକୁ ସୁଗମ କରିବ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ଶ୍ରୀ ମୋଦୀ କହିଥିଲେ “ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ଏକ ପୁଣ୍ୟ ଓ ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ ।
ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ଦ୍ୱାରା କୁମ୍ଭ ଏବଂ ଧାର୍ମିକ ତୀର୍ଥଯାତ୍ରାକୁ ଅବହେଳା ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ମେଳାର ଗୁରୁତ୍ୱ ସତ୍ତ୍ୱେ ତୀର୍ଥଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଭାରତର ସଂସ୍କୃତି ଏବଂ ବିଶ୍ୱାସ ସହ ସଂପର୍କର ଅଭାବକୁ ସେ ଦାୟୀ କରିଥିଲେ ଏବଂ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଥିବା ବର୍ତ୍ତମାନର ସରକାରଙ୍କ ଅଧୀନରେ ଭାରତର ପରମ୍ପରା ଏବଂ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ରହିଛି ବୋଲି ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ । କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)