ନୂଆଦିଲ୍ଲୀ: 'ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ'ର ଉଦଘାଟନ ପାଇଁ ଗୁଜରାଟର ଅଡାଲାଜରେ ଥିବା ତ୍ରିମନ୍ଦିରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ୫ଜି ସେବା ଆରମ୍ଭ ନେଇ ଏବଂ ୫ଜିର ଦକ୍ଷତା ବିଷୟରେ କହିଥିଲେ।
ଆଜି ଗୁଜରାଟରେ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି। ଗୁଜରାଟର ୨୦ହଜାର ବିଦ୍ୟାଳୟ ୫ଜି ଶିକ୍ଷା ଯୁଗରେ ପ୍ରବେଶ କରିବାକୁ ଯାଉଛନ୍ତି। ଯଦି ମୁଁ ଏହି ଟେକ୍ନୋଲୋଜିକୁ ସହଜ ଭାଷାରେ ବ୍ୟାଖ୍ୟା କରିବାକୁ ଚାହିଁବି, ତେବେ ମୁଁ କହିବି ଯେ, ୪ଜି ସାଇକେଲ ହେଲେ, ୫ଜି ଉଡ଼ାଜାହାଜ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ମୁତାବକ, ଏବେ ୫ଜି, ସ୍ମାର୍ଟ ସୁବିଧା, ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ଶିକ୍ଷାଦାନରେ ସାହାଯ୍ୟ କରିବା ସହ ଆମର ଶିକ୍ଷା ବ୍ୟବସ୍ଥାକୁ ପରବର୍ତ୍ତୀ ସ୍ତରକୁ ନେଇଯିବ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ନିଜେ ଗାଁରୁ ଗାଁ ଯାଇ ଝିଅମାନଙ୍କୁ ବିଦ୍ୟାଳୟ ପଠାଇବାକୁ ଅନୁରୋଧ କରିଥିଲି। ଯାହାର ଫଳସ୍ବରୂପ ଆଜି ଗୁଜରାଟର ପ୍ରାୟ ସମସ୍ତ ପୁଅ ଏବଂ ଝିଅ ସ୍କୁଲ ଯିବା ଆରମ୍ଭ କରିଛନ୍ତି ଏବଂ ସ୍କୁଲ ପରେ କଲେଜ ମଧ୍ୟ ଯାଉଛନ୍ତି।
ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାର ଦେଶରେ ସାଢ଼େ ୧୪ହଜାରରୁ ଅଧିକ ପିଏମ ଶ୍ରୀ ବିଦ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିଦ୍ୟାଳୟଗୁଡ଼ିକ ସମଗ୍ର ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ପାଇଁ ଆଦର୍ଶ ବିଦ୍ୟାଳୟ ହେବ।