ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଗାନ୍ଧୀ ଅନୁମୋଦିତ ପ୍ରାର୍ଥୀ ଖଡ଼ଗେ ୭,୮୯୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶଶୀ ଥରୁର୍‌ ମାତ୍ର ୧,୦୭୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଖଡ଼ଗେ କଂଗ୍ରେସର ଅଣ-ଗାନ୍ଧୀ ମୁଖ୍ୟ ହୋଇଛନ୍ତି। ଆଜି ଫଳାଫଳ ପ୍ରକାଶ ପାଇବା ପରେ ଖଡଗେଙ୍କୁ ଅନେକ ବଡ଼ ବଡ଼ ନେତା ଶୁଭେଚ୍ଛା ଜଣାଇଥିବା ବେଳେ ଏଥିରେ ପଛରେ ରହିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Advertisment

ଖଡଗେ ବିପୁଳ ଭୋଟ ପାଇ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ଭାବରେ ତାଙ୍କର ନୂତନ ଦାୟିତ୍ବ ପାଇଁ ମଲ୍ଲିକାର୍ଜୁନ ଖଡଗେଜୀଙ୍କୁ ମୋର ଶୁଭେଚ୍ଛା। ତାଙ୍କର ଭବିଷ୍ୟତ କାର୍ଯ୍ୟକାଳ ଫଳପ୍ରଦ ହେଉ।

ଉଲ୍ଲେଖଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଥିଲେ। ଖଡଗେ ଜିତିବା ପରେ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଟ୍ବିଟ କରିଥିଲେ ଯେ, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ। ଦେଶର ଅନେକ କଂଗ୍ରେସ ଶୁଭେଚ୍ଛୁଙ୍କ ଆଶା ଆକାଙ୍‌କ୍ଷା ପରିପୂରଣ କରିବା ବଡ଼ ସୌଭାଗ୍ୟର କଥା।