ମୋଦୀଙ୍କ ସହ କଥାହେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍

ନୂଆଦିଲ୍ଲୀ : ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କକୁ ବ୍ରିଟେନ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ଲିଜ୍ କହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଲିଜଙ୍କ ସହ ମୋଦୀଙ୍କର ଏହା ଥିବା ପ୍ରଥମ ଆଲୋଚନା ।

ଏହି ଅବସରରେ ମୋଦୀ ମହାରାଣୀ ଏଲିଜାବେଥଙ୍କ ପରଲୋକରେ ଶୋକ ପ୍ରକଟ କରିବା ସହ ଭାରତବାସୀଙ୍କ ତରଫରୁ ପରଲୋକଗତା ମହାରାଣୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ମୋଦୀଙ୍କ ଶ୍ରଦ୍ଧାଞ୍ଜଳୀ ପାଇଁ ଓ ଭାରତବାସୀଙ୍କ ଶ୍ରଦ୍ଧାଞ୍ଜଳୀ ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହା ସହିତ ଦ୍ବିପାକ୍ଷିକ ସଂପର୍କ ଉପରେ ଗୁରୁତ୍ବ ଦେବା ଓ ଭବିଷ୍ୟତରେ ବ୍ୟକ୍ତିଗତଭାବେ ସାକ୍ଷାତ କରିବାକୁ ଉଭୟ ନେତା ଆଶା ପ୍ରକଟ କରିଛନ୍ତି ।

ଗତ ୮ ତାରିଖରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ବାଲମୋରାଲ ପ୍ରାସାଦରେ ହୋଇଥିଲା । ଏହା ପରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକଟ କରିଥିଲେ ।  ନିଜ ଟୁଇଟରେ ମୋଦୀ ଲେଖିଥିଲେ, “ନିଜ ଦେଶ ଓ ଲୋକମାନଙ୍କ ପାଇଁ ସେ ଅନୁକରଣୀୟ ନେତୃତ୍ବ ପ୍ରଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ । ତାଙ୍କ ପରିବାର ଓ ବ୍ରିଟିଶ ଲୋକଙ୍କ ପ୍ରତି ମୋର ସମବେଦନା”

 

 

 

 

ସମ୍ବନ୍ଧିତ ଖବର