ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍-ରୌପ୍ୟ) ଜିତି ନୀରଜ ଚୋପ୍ରା ଗୌରବ ରଚିଛନ୍ତି।
ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରଜଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।
ନୀରଜ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ମୋଦୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇ କହିଥିଲେ, ‘ଆପଣ ଦେଶର ନାମ ଉଜ୍ଜ୍ବଳ କରିଛନ୍ତି। ଦେଶବାସୀ ଅଗଷ୍ଟ ୮ ତାରିଖ ଆପଣଙ୍କ ଖେଳ ଦେଖୁଥିଲା। ଦେଶବାସୀଙ୍କ ଆଶା ଥିଲା ଆପଣ ନିଶ୍ଚୟ ସ୍ବର୍ଣ୍ଣ ପଦକ ଜିତିବେ। ଖେଳ ସମୟରେ ଆପଣ ଆହତ ହୋଇଥିଲେ ତଥାପି ନିଜ କର୍ତ୍ତବ୍ୟପଥରୁ ଓହରି ନଥିଲେ।
#WATCH | PM Narendra Modi spoke to Javelin thrower Neeraj Chopra and congratulated him on the Silver medal. He also enquired about his injury and lauded the sportsman spirit shown by his mother.#Paris2024#Paris2024Olympicpic.twitter.com/DvVEMcNbPQ
— ANI (@ANI) August 9, 2024
ମୁଁ ଜାଣିଛି ଆପଣ ସ୍ବର୍ଣ୍ଣ ପଦକ ଜିତି ନପାରିଥିବାରୁ ମନ ଉଣା କରିଛନ୍ତି। ମୁଁ କହିବି ଏହି କଷ୍ଟକୁ ମନରୁ ବାହାର କରି ଦିଅନ୍ତୁ କାରଣ ଆପଣ ହେଉଛନ୍ତି ନିଜେ ଗୋଟେ ସୁନା ମୁଣ୍ଡା।’
ନୀରଜ ନିଜ ପ୍ରତିକ୍ରିୟାରେ ମୋଦୀଙ୍କୁ କହିଥିଲେ, ‘ମୁଁ ଯେମିତି ଚାହିଁଥିଲି ସେମିତି ଖେଳି ପାରିଲି ନାହିଁ। ଲୋକମାନେ ମୋ ଠାରୁ ସୁନାପଦକର ଆଶା ରଖିଥିଲେ। ଏହି ପଦକ ପାଇଁ ମୁଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛି। କିନ୍ତୁ ପାରିଲି ନାହିଁ। କାରଣ ପ୍ରତିଯୋଗିତା ବହୁତ ଟପ ଥିଲା।’