ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେବାକୁ ଯାଉଛନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିରେ ୯ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ । ଏନେଇ ସିଦ୍ଧାର୍ଥନଗରଠାରେ ପ୍ରସ୍ତୁତି ଚାଲିଛି । ଆଗାମୀ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମେଡିକାଲ କଲେଜଗୁଡିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ରାଜ୍ୟ ସରକାର ଚଳିତ ବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି ।
ଲୋକାର୍ପଣ ହେବାକୁଥିବା ଏହି ୯ ଟି ମେଡିକାଲ କଲେଜ ବ୍ୟତିତ ଅଯୋଧ୍ୟା, ଫିରୋଜାବାଦ ଓ ଶାହାଜାହାଁପୁର ଜିଲ୍ଲାରେ ଥିବା ମେଡିକାଲଗୁଡିକୁ ଅପଗ୍ରେଡ କରି ମେଡିକାଲ କଲେଜ ଭାବେ ନିର୍ମାଣ କରାଯାଉଛି ।
ତେବେ ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ଶାସନରେ ଥିବା ବିଜେପି ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ବି ପ୍ରସ୍ତୁତି ଜୋରଦାର କରିଛି ।