ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ଷୀୟାନ କଂଗ୍ରେସ ନେତା ମନମୋହନ ସିଂହ ଆଜି (ଶନିବାର) ୮୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବହୁ ନେତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଟୁଇଟର ହାଣ୍ଡେଲରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଡ. ମନମୋହନ ସିଂହ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ସର୍ବଶକ୍ତିମାନ୍‌ଙ୍କୁ ପ୍ରାର୍ଥନା କରୁଛି ଯେ ସେ ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରାପ୍ତ କରନ୍ତୁ।

Advertisment

ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ୟୁପିଏର ମିଳିତ ସରକାରର ନେତୃତ୍ୱ ନେଇଥିଲେ ମନମୋହନ ସିଂହ। ଏହା ପୂର୍ବରୁ ୧୯୯୧ରୁ ୯୬ ପର୍ଯ୍ୟନ୍ତ ପିଭି ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟକରି ଦେଶରେ ଅର୍ଥନୈତିକ ସଂସ୍କାର ଆଣିବାରେ ମନମୋହନ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନମୋହନ ସିଂଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂହଙ୍କ ଗଭୀରତାକୁ ଦେଶ ଆଜି ଅନୁଭବ କରୁଛି ବୋଲି କହିଥିଲେ। ତାଙ୍କର ସଚ୍ଚୋଟତା, ଶ୍ରଦ୍ଧା ଏବଂ ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ ବୋଲି ଉଲ୍ଲେଖ କରି ତାଙ୍କୁ ଜନ୍ମଦିନର ବହୁତ ଶୁଭକାମନା ଏବଂ ଆଗାମୀ ବର୍ଷର ସୁନ୍ଦର ବର୍ଷ କାମନା କରୁଛି ବୋଲି ରାହୁଲ ଗାନ୍ଧୀ ଲେଖିଥିଲେ।

କଂଗ୍ରେସ ଦଳ ପକ୍ଷରୁ ଏହି ବରିଷ୍ଠ ନେତାଙ୍କ ସଫଳତାକୁ ଆଧାର କରି ଏକ କ୍ଷୁଦ୍ର ଭିଡିଓ ମଧ୍ୟ ପ୍ରକାଶ କରିଛି।