ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହେବା ପରେ ଆଶୁ ଆରୋଗ୍ୟ କାମନା କରି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ଏବେ ଏକାନ୍ତବାସରେ ଅଛନ୍ତି। ଏହି ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କରୋନା ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ କରୋନା ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ତେବେ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହେବା ପ‌ରେ ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ମାମଲାରେ ଜେରା ପାଇଁ ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ସେ ହାଜର ହେବେ ‌ବୋଲି କଂଗ୍ରେସ ସ୍ପଷ୍ଟିକରଣ ଦେଇ କହିଛି। ବରିଷ୍ଠ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସାମାନ୍ୟ ଜ୍ବର ସହ ତାଙ୍କଠାରେ ଅନ୍ୟ କେତେକ ଲକ୍ଷଣ ଦେଖା ଦେଇଥିବାରୁ ସେ ଏକାନ୍ତବାସରେ ରହି ଆବଶ୍ୟକ ଡାକ୍ତରୀ ଚିକିତ୍ସା ଗ୍ରହଣ କରୁଛନ୍ତି। ଜୁନ୍‌ ୮ରେ ତାଙ୍କର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ତାରିଖ ଆଜି ସୁଦ୍ଧା ଅପରିବର୍ତ୍ତିତ ରହିଛି।

ସୂଚନାଯୋଗ୍ୟ, ବୁଧବାର ଦିନ ମିଳିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍‌ ଅନୁସାରେ, ଜେରା ପାଇଁ ରାହୁଲ୍‌ ଗାନ୍ଧୀ ଜୁନ୍‌ ୨ ତାରିଖ ଏବଂ ସୋନିଆ ଗାନ୍ଧୀ ଜୁନ୍‌ ୮ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା କଥା। କିନ୍ତୁ, ବିଦେଶରେ ଥିବାରୁ ରାହୁଲ୍‌ ଗାନ୍ଧୀ ଜୁନ୍‌ ୫ ତାରିଖ ପରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ସମୟ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର