ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପତ୍ର; ଗୋଟିଏ ବର୍ଷରେ ସରକାରଙ୍କ କୃତିତ୍ବ ଓ ସମ୍ମୁଖୀନ ହୋଇଥିବା ସମସ୍ୟା କଥା ଲେଖିଲେ ମୋଦୀ

ନୂଆଦିଲ୍ଲୀ: ଦ୍ବିତୀୟ ପାଳିରେ ଆଜି ତାଙ୍କ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକମାନଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ବିବାଦ ସମାଧାନ, ତିନ୍ ତଲାକ୍‌ ଅପରାଧିକରଣ ଏବଂ ନାଗରିକ ଆଇନର ସଂଶୋଧନ ଭଳି ପ୍ରମୁଖ କୃତିତ୍ବ ପ୍ରସଙ୍ଗ ଉଲ୍ଲେଖ କରିବା ସହ ତାଙ୍କ ସରକାର ସମ୍ମୁଖୀନ ହୋଇଥିବା ଆହ୍ବାନଗୁଡ଼ିକ କଥା ମଧ୍ୟ କହିଛନ୍ତି।

ଦେଶର ୧୩୦ କୋଟି ଜନତା ଏବଂ ଦେଶର ଗଣତାନ୍ତ୍ରିକ ନୈତିକତା ପ୍ରତି ମଥାନତ କରି ସେ ଲେଖିଛନ୍ତି ଯେ, ୨୦୧୯ରେ ଦ୍ବିତୀୟ ପାଳିରେ ନିର୍ବାଚିତ ହେବା ବେଳେ ଭାରତକୁ ପୂର୍ବାପେକ୍ଷା ଅଧିକ ଉନ୍ନତ କରି ବୈଶ୍ବିକ ନେତାରେ ପରିଣତ କରିବାକୁ ସେ ପ୍ରତ୍ୟେକ ନାଗରିକଙ୍କୁ ସ୍ବପ୍ନ ଦେଖାଇ ଥିଲେ। ତେଣୁ ଗତ ବର୍ଷକ ମଧ୍ୟରେ ଯେଉଁ ନିଷ୍ପତ୍ତି ସବୁ ଗ୍ରହଣ କରାଯାଇଛି ସେସବୁ ଏହି ସ୍ବପ୍ନ ପୂରଣ କରିବା ଦିଗରେ ପରିଚାଳିତ ହୋଇଛି।

୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଧାରା ୩୭୦ ଉଚ୍ଛେଦ ଜାତୀୟ ଏକତା ଏବଂ ଅଖଣ୍ଡତାର ଉଚ୍ଛ୍ବାସକୁ ଆହୁରି ବୃଦ୍ଧି କରିଛି।

ରାମ ମନ୍ଦିର ମାମଲାରେ ସୁପ୍ରିମ୍ କୋର୍ଟଙ୍କ ରାୟ ସମ୍ବନ୍ଧରେ ସେ କହିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇ ପାରିଲା।

Image Courtesy of Zee News

ତାଙ୍କ ସରକାର ଗ୍ରହଣ କରିଥିବା ଅନ୍ୟାନ୍ୟ ପ୍ରମୁଖ ନିଷ୍ପତ୍ତିର ସମ୍ବନ୍ଧରେ ସେ ଲେଖିଛନ୍ତି ଯେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦବୀ ସୃଷ୍ଟି ଭଳି ସଂସ୍କାରମୂଳକ ପଦକ୍ଷେପ ଦୀର୍ଘ ଦିନରୁ ପଡ଼ିରହିଥିଲା। ତାହା କରାଯିବାରୁ ସଶସ୍ତ୍ର ସେନାଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ହୋଇପାରିଛି। ଏହାଛଡ଼ା ଗତ ବର୍ଷକ ମଧ୍ୟରେ ଜନହିତକାରୀ ଆଇନ ପ୍ରଣୟନ ହୋଇଛି ଏବଂ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପାର୍ଲାମେଣ୍ଟ୍ ଦଶନ୍ଧି ଦଶନ୍ଧିର ପୁରାତନ ରେକର୍ଡ ଭାଙ୍ଗିଛି।

କୋଭିଡ୍-୧୯ ବିସ୍ତାର ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏହା ଆମ ଦେଶର ଆଶା ଓ ଆକାଙ୍‌କ୍ଷାକୁ ସ୍ଥାଣୁ କରି ଦେଇଛି। ଗୋଟିଏ ପଟେ ବିରାଟ ଆର୍ଥିକ ସମ୍ବଳ ଏବଂ ଆଧୁନିକ ସ୍ବାସ୍ଥ୍ୟସେବା ପ୍ରଣାଳୀ ଉପରେ ଧ୍ୟାନ ଦେବା ବେଳେ ଅନ୍ୟ ପଟେ ବହୁଳ ଜନସଂଖ୍ୟା ଏବଂ ସୀମିତ ସମ୍ବଳଜନିତ ସମସ୍ୟା ମଧ୍ୟରେ ଆମ ଦେଶ କାବୁ ହୋଇଯାଇଛି।

ଶ୍ରମଜୀବୀ, ପ୍ରବାସୀ ଶ୍ରମିକ, ବୁଲା ବିକାଳି ଏବଂ କ୍ଷୁଦ୍ର ଶିଳ୍ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଯେପରି ଦୁର୍ବିପାକ ପାଲଟି ନ ଯାଏ, ସେଥିପ୍ରତି ଦେଶ ସୁନିଶ୍ଚତ ହେବ।

Image Courtesy of Hindustan Times

ଆତ୍ମ-ନିର୍ଭରଶୀଳତା ସମ୍ପ୍ରତି ସମୟ ଆହ୍ବାନ ଥିବାରୁ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ ଲେଖିଛନ୍ତି। ସେ କହିଛନ୍ତି ଆମ ନିଜ ସାମର୍ଥ୍ୟକୁ ଆଧାର କରି ଆଗେଇବାକୁ ପଡ଼ିବ। ସେଥିପାଇଁ ଥିବା ‌ଏକମାତ୍ର ଉପାୟ ହେଉଛି ଆତ୍ମନିର୍ଭର ଭାରତ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗ୍ରାମୀଣ ଓ ନଗରାଞ୍ଚଳ ମଧ୍ୟରେ ଥିବା ତାରତମ୍ୟ ହ୍ରାସ ନିମନ୍ତେ ସେ ଗରିବ, କୃଷକ, ମହିଳା ଏବଂ ଯୁବାବର୍ଗଙ୍କୁ ସଶକ୍ତ କରାଇଛନ୍ତି। ‘ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ବାସ’ ମନ୍ତ୍ର ବଳରେ ଭାରତ ସବୁ କ୍ଷେତ୍ରରେ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର