ଚୀନ୍‌କୁ ଉଚିତ ଜବାବ ମିଳିଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ବନ୍ଧୁତା କିପରି ରଖିବାକୁ ହୁଏ ତାହା ଭାରତକୁ ଯେମିତି ଭଲଭାବରେ ଜଣା, ଶତ୍ରୁତାର କିପରି ମୁହଁତୋଡ଼ ଜବାବ ଦିଆଯାଏ ତାହା ମଧ୍ୟ ଭାରତକୁ ଜଣା। ଲଦାଖ ସୀମାରେ ଆମ ଭାରତୀୟ ଯବାନ ଏହା କରି ଦେଖାଇ ଦେଇଛନ୍ତି।

ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଯବାନମାନଙ୍କୁ ଭୂୟସୀ ପ୍ରଶଂସା କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମକୁ କେହି ନାଲି ଆଖି ଦେଖାଇଲେ ଏହାର ଉଚିତ ଜବାବ ଦିଆଯିବ। ଲଦାଖରେ ଚୀନକୁ ବି ଉଚିତ୍ ଜବାବ ମିଳିଛି। ଚୀନା ସାମଗ୍ରୀ ବର୍ଜନ ସମ୍ପର୍କରେ ଚାଲିଥିବା ଅଭିଯାନ କଥା ଉଲ୍ଲେଖ କରିବା ସହିତ ସରକାରଙ୍କ ‘ଆତ୍ମ ନିର୍ଭର ଭାରତ’ ଅଭିଯାନକୁ ସଫଳ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।

ଗଲୱାନ ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସାହସୀ ଯବାନମାନେ କୌଣସି ପରିସ୍ଥିତିରେ ବି କାହାକୁ ଭାରତ ମାତାର ସମ୍ମାନ କ୍ଷୁଣ୍ଣ କରିବାର ସୁଯୋଗ ଦେବେନାହିଁ। ଆମ ସୀମାର ସୁରକ୍ଷା ପାଇଁ ଦେଶର ଶକ୍ତି ଓ ସାମର୍ଥ୍ୟକୁ ବଡ଼ାଇବାକୁ ହେବ। ତେବେ ଦେଶକୁ ଆତ୍ମନିର୍ଭରଶୀଳ କରିବା ହିଁ ସେହି ସହିଦମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିବା ସହ ଦେଶରେପ୍ରସ୍ତୁତ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ସେ ନିବେଦନ କରିଛନ୍ତି। ବନ୍ଧୁତା ଓ ବିଶ୍ବାସ ହେଉଛି ଭାରତର ପରମ୍ପରା ଏବଂ ଭାତୃଭାବ ହେଉଛି ଏହାର ଜୀବନୀଶକ୍ତି। ତେଣୁ ଏହି ସବୁ ନୀତି ଆଦର୍ଶକୁ ପାଥେୟ କରି ଆମକୁ ଆଗକୁ ବଡ଼ିବାକୁ ହେବ ବୋଲି ମୋଦୀ ଆହ୍ବାନ କରିଛନ୍ତି।

ଲଦାଖ ଘଟଣା ଦେଖିବା ପରେ କେବଳ ଦେଶୀ ସାମଗ୍ରୀ କିଣିବା ପାଇଁ ପଣ କରିଥିବା ଜନୈକା ଆସାମୀ ମହିଳାଙ୍କ ନାମକୁ ମୋଦୀ ଉଲ୍ଲେଖ କରି କହିଛନ୍ତି ଯେ ଦେଶର ପ୍ରତି କୋଣ ଅନୁକୋଣରୁ ଏ ବାବଦରେ ବାର୍ତ୍ତାମାନ ପହ‌ିବାରେ ଲାଗିଛି। ସ୍ବାଧୀନତା ପୂର୍ବରୁ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ପଛରେ ପକାଇଥିବା ଅନେକ ଦେଶ ଏବେ ଆମଠାରୁ ଆଗରେ ରହିଥିବା ସମ୍ପର୍କରେ ସେ ଦୁଃଖ ପ୍ରକାଶ କରିବା ସହ ସେ ଦିଗ ପ୍ରତି ଏବେ ପ୍ରାଧାନ୍ୟ ଦିଆଯାଉଛିି ବୋଲି କହିଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରତି ନାଗରିକଙ୍କର ସେ ସହଯୋଗ କାମନା କରିିଛନ୍ତିା

ସମ୍ବନ୍ଧିତ ଖବର