ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ସହ ଜବାହରଲାଲ ନେହେରୁଙ୍କ ସାକ୍ଷାତ୍ ଉପରେ ଆଲୋକପାତ କରୁଥିବା ‘ଜେଏଫ୍କେ’ସ୍ ଫର୍ଗଟନ୍ କ୍ରାଇସିସ୍’ ପୁସ୍ତକକୁ ବୈଦେଶିକ ନୀତିରେ ଆଗ୍ରହୀ ବ୍ୟକ୍ତିମାନେ ପଢ଼ିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକୁ ସୁରକ୍ଷିତ କରିବା ପାଇଁ ସରକାର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ତିନିଚାରି ଥର ଆମେରିକା ପଠାଇଛନ୍ତି ବୋଲି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କରିଥିବା ଦାବିର ଜବାବ ଭାବେ ଏହି ମନ୍ତବ୍ୟକୁ ଦେଖାଯାଉଛି। ଦେଶ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ବୈଦେଶିକ ନୀତି ନାଁରେ କ’ଣ ଖେଳ ଚାଲିଥିଲା ତାହା ଏହି ପୁସ୍ତକ ମାଧ୍ୟମରେ ପଦାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗ ନେଇ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମେକ୍ ଇନ୍ ଇଣ୍ଡିଆ ‘ପଦକ୍ଷେପ ବିଫଳ’ ହୋଇଥିବାରୁ ଚୀନ୍ ଭାରତ ମାଟିରେ ଅନୁପ୍ରବେଶ କରିଛି।
ତେବେ ମୋଦୀ କହିଛନ୍ତି, ‘ଜେଏଫ୍କେ’ସ୍ ଫର୍ଗଟନ୍ କ୍ରାଇସିସ୍: ତିବ୍ବତ, ଦ ସିଆଇଏ ଆଣ୍ଡ୍ ଦ ସିନୋ-ଇଣ୍ଡିଆନ ୱାର୍’ ଶୀର୍ଷକ ପୁସ୍ତକଟି ସିଆଇଏର ଜଣେ ପୂର୍ବତନ ଅଧିକାରୀ ବ୍ରୁସ୍ ରିଡେଲ ଲେଖିଛନ୍ତି। ଏଥିରେ ୧୯୬୨ର ଚୀନ୍-ଭାରତ ଯୁଦ୍ଧ ଏବଂ ଭାରତକୁ ଲଢୁଆ ବିମାନ ଯୋଗାଇବା ପାଇଁ ନେହରୁ କେନେଡିଙ୍କୁ କିପରି ଚିଠି ଲେଖିଥିଲେ ସେ ବିଷୟରେ ଆଲୋଚନା କରାଯାଇଛି। ଦେଶ ଯେତେବେଳେ ଆହ୍ୱାନପୂର୍ଣ୍ଣ ସମୟର ସମ୍ମୁଖୀନ ହେଉଥିଲା ସେତେବେଳେ ଏହି ପୁସ୍ତକ ନେହରୁ ଓ ତାଙ୍କ କୂଟନୀତି ଉପରେ ଆଲୋକପାତ କରିଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏହି ପୁସ୍ତକର ବିବାଦୀୟ ଅଂଶଗୁଡ଼ିକୁ ତୁରନ୍ତ ବାହାର କରିଛନ୍ତି, ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ‘ସୁନ୍ଦରୀ ୨୭ ବର୍ଷୀୟା ଭଉଣୀ’ ‘ପ୍ୟାଟ୍ କେନେଡି’ଙ୍କ ପ୍ରତି ନେହରୁ କିପରି ଆଗ୍ରହୀ ଥିଲେ, ତାହା ଦର୍ଶାଯାଇଛି। ୧୯୬୧ ମସିହା ନଭେମ୍ବର ୬ରେ ନେହରୁଙ୍କ ଆମେରିକା ଗସ୍ତ ସମୟରେ ଏହା ଘଟିଥିଲା।
ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତର ଶେଷ ଭାଇସରାୟଙ୍କ ପତ୍ନୀ ଲେଡି ଏଡୱିନା ମାଉଣ୍ଟବ୍ୟାଟେନଙ୍କ ଦ୍ୱାରା ବ୍ୟବହୃତ ଗେଷ୍ଟ ହାଉସରେ ରହିବାକୁ ଆଗ୍ରହୀ ଥିଲେ। ଏହି ପୁସ୍ତକରେ ୧୯୬୨ ମାର୍ଚ୍ଚରେ ଜନ୍ କେନେଡି ଓ ପ୍ରଥମ ମହିଳା ଜ୍ୟାକଲିନ୍ କେନେଡିଙ୍କ ଭାରତ ଗସ୍ତ ଉପରେ ଆଲୋକପାତ କରାଯାଇଛି। ଦୂତାବାସ ଶ୍ରୀମତୀ କେନେଡିଙ୍କ ରହିବା ପାଇଁ ଏକ ଭିଲା ଭଡ଼ାରେ ନେଇଥିଲା, କିନ୍ତୁ ସେ ପହଞ୍ଚିବା ପରେ ନେହେରୁ ଜିଦ୍ ଧରିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଅତିଥିଗୃହରେ ରୁହନ୍ତୁ। ଏଡୱିନା ମାଉଣ୍ଟବ୍ୟାଟେନଙ୍କ ଦ୍ୱାରା ଏହି ଅତିଥିଗୃହ ପ୍ରାୟତଃ ବ୍ୟବହୃତ ହେଉଥିଲା। ସ୍ୱାଧୀନତା ପରେ ବାରମ୍ବାର ଭାରତ ଆସୁଥିବା ଏଡୱିନାଙ୍କ ସହ ନେହରୁ ଅତି ଘନିଷ୍ଠ ଥିଲେ ବୋଲି ପୁସ୍ତକରେ କୁହାଯାଇଛି। ନିକଟରେ ଜବାହରଲାଲ ନେହରୁ ଏଡୱିନା ମାଉଣ୍ଟବ୍ୟାଟେନଙ୍କୁ ଲେଖିଥିବା ବ୍ୟକ୍ତିଗତ ଚିଠିକୁ ଫେରାଇ ଦେବାକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ଗାନ୍ଧୀ ପରିବାରକୁ ଅନୁରୋଧ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ବିଜେପି ଅଭିଯୋଗ କରିଛି ଯେ ୨୦୦୮ରେ ସୋନିଆ ଗାନ୍ଧୀ ନେହରୁଙ୍କ ଚିଠିର ୫୧ କାର୍ଟୁନ୍ ନେଇଯାଇଥିଲେ। ସୋସିଆଲ ମିଡିଆରେ ପ୍ରକାଶିତ ପୁସ୍ତକର ଗୋଟିଏ ଅଂଶରେ ଉଲ୍ଲେଖ କରାଯାଇଛି ଯେ କେନେଡି ତତ୍କାଳୀନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତଙ୍କୁ କହିଥିଲେ ଯେ ଏହା ତାଙ୍କ ରାଷ୍ଟ୍ରପତିତ୍ୱର ‘ସବୁଠାରୁ ଖରାପ ସରକାରୀ ଗସ୍ତ’ ଥିଲା। ପୁସ୍ତକ ଅନୁଯାୟୀ, କେନେଡି ଏହା ମଧ୍ୟ ଅନୁଭବ କରିଥିଲେ ଯେ ନେହରୁ ତାଙ୍କ ଅପେକ୍ଷା ଜ୍ୟାକି (ଜ୍ୟାକଲିନ୍ କେନେଡି)ଙ୍କ ସହ କଥାବାର୍ତ୍ତା କରିବାକୁ ଅଧିକ ଆଗ୍ରହୀ ଥିଲେ।