ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା ପିଏମ-ଶ୍ରୀ ଯୋଜନାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ୍ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏଥିପାଇଁ କେନ୍ଦ୍ର, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ। ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ। ଏହି ଯୋଜନା ପାଇଁ ୨୭,୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ହେବ। ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ ।
ସବୁଜ ବିଦ୍ୟାଳୟ ଭାବେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକୁ ବିକଶିତ କରାଯିବ। ଏଠାରେ ସୌର ପ୍ୟାନେଲ ଓ ଏଲଇଡି ଲାଇଟ ସଂଯୋଗ, ପ୍ରାକୃତିକ କୃଷି ସହିତ ପୋଷଣ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକମୁକ୍ତ କ୍ଷେତ୍ର, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ ସୁରକ୍ଷା ପାଇଁ ପରମ୍ପରା,ରୀତିନୀତି ଆଧାରିତ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ହାକାଥନ ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି ଆଦି ଉପରେ ଗୁରୁତ୍ବ ଦିଆଯିବ। ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ଉପରେ ଗୁରୁତ୍ବ ଦିଆଯିବ। ବିଷୟକୁ ଭଲ ଭାବେ ବୁଝିବା ଲାଗି ସବୁ ସ୍ତରରେ ଆକଳନ କରାଯିବ । ଏଥିରେ ବାସ୍ତବ ଜୀବନ ପରିସ୍ଥିତିରେ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଶିକ୍ଷାଦାନ ପ୍ରତିଯୋଗିତାମୂଳକ ହେବ। ନିଯୁକ୍ତି କ୍ଷମତା ବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ସୁଯୋଗ ଅନ୍ବେଷଣ କରିବା ନିମନ୍ତେ କୌଶଳ ପରିଷଦ ଏବଂ ସ୍ଥାନୀୟ ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ କରାଯିବ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନେ ସମ୍ପୂର୍ଣ୍ଣ ଭାବେ ଏନଇପି କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇ ଏକ ବୁଝାମଣାପତ୍ର କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷର କରିବେ। ଏହାପରେ ପିଏମଶ୍ରୀ ବିଦ୍ୟାଳୟ ଭାବେ ଏସବୁ ବିଦ୍ୟାଳୟକୁ ସହାୟତା କରିବା ସହ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବେ ।
ଦ୍ବିତୀୟ ପର୍ଯ୍ୟାୟରେ, ପିଏମ ଶ୍ରୀ ବିଦ୍ୟାଳୟ ପାଇଁ ଯୋଗ୍ୟ ହୋଇଥିବା କେତେଗୁଡ଼ିକ ବିଦ୍ୟାଳୟର ଏକ ପୁଲ୍କୁ ଚୟନ କରାଯିବ । ୟୁଡିଆଇଏସଇ+ ଡେଟା ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମାପଦଣ୍ଡକୁ ବିଚାର କରି ଏମାନଙ୍କୁ ବଛାଯିବ ।
ତୃତୀୟ ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ମାପଦଣ୍ଡ ପୂରଣ କରିବା ଲାଗି ଏକ ଚାଲେଞ୍ଜ ପଦ୍ଧତି ଉପରେ ଆଧାରିତ । ଉପରୋକ୍ତ ଯୋଗ୍ୟତା ପୁଲରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ଚାଲେଞ୍ଜର ସର୍ତ୍ତକୁ ପୂରଣ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ। ଭୌତିକ ନିରୀକ୍ଷଣ ମାଧ୍ୟମରେ ରାଜ୍ୟ/କେଭିଏସ/ଜେଏନଭି ଦ୍ବାରା ସର୍ତ୍ତ ପୂରଣର ପ୍ରମାଣପତ୍ର ଏସବୁ ବିଦ୍ୟାଳୟକୁ ମିଳିବ । ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି ।
ପିଏମ୍ ଶ୍ରୀ ସ୍କୁଲ ହେବ ଦେଶେର ସର୍ବଶ୍ରେଷ୍ଠ : ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଏହି ଯୋଜନାରେ ସମଗ୍ର ଭାରତବର୍ଷରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ବୋଲି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଆଜି ସେହି ଦିଗରେ ବୃହତ ପଦକ୍ଷେପ ସ୍ୱରୂପ ଦେଶରେ ଏକ ନୂଆ ମଡେଲ ଆଣିବା ପାଇଁ ଏହି ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Dharmendra-Pradhan.jpg)