ଲଣ୍ଡନ: ମଙ୍ଗଳବାର ଦିନ ବ୍ରିଟିସ୍ ସାଂସଦମାନେ ପ୍ରଧାନମନ୍ତ୍ରୀ ତେରେସା ମେ’ଙ୍କର ଇଉରୋପୀୟ ସଂଘ ସହ ‘ଡିଭୋର୍ସ ଡିଲ୍’କୁ ( ବ୍ରିକ୍ସିଟ୍ ଆର୍ଥନୈତିକ ରାଜିନାମା) ବିପୁଳ ସଂଖ୍ୟାରେ ପ୍ରତ୍ୟାଖାନ କରିବାରୁ ଅନାସ୍ଥା ପ୍ରସ୍ତାବ ଭୋଟ୍ ଅଣାଯିବା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ତେରେସା ମେ’ଙ୍କ ସରକାର ଭାଙ୍ଗିଯିବାର ଯଥେଷ୍ଟ ସମ୍ଭବନା ରହିଛି।
ମେ’ ବିପୁଳ ସଂଖ୍ୟାରେ ପରାଜିତ ହେବେ ବୋଲି ଆଶା କରାଯାଉଥିଲା। ହାଉସ୍ ଅଫ୍ କମନ୍ସ୍ରେ ସରକାରଙ୍କ ବିରୋଧରେ ୪୩୨ଟି ଭୋଟ୍ ଦିଆଯାଇଥିବା ବେଳେ ସରକାରଙ୍କ ସପକ୍ଷରେ ମିଳିଛି ୨୦୨ଟି ଭୋଟ୍। ମେ’ଙ୍କର ଦୁର୍ବଳ ନେତୃତ୍ୱର ଏହା ଧ୍ୱଂସ ସାଧନ କରିପାରେ।
ଦୁଇ ବର୍ଷର ରାଜନୈତିକ ଉତ୍ଥାନ ପତ୍ତନ ପରେ ସାଂସଦମାନେ ମେ’ଙ୍କ ରାଜିନାମାକୁ ହଁ କି, ନା କହିବାର ସୁଯୋଗ ପାଇଥିଲେ, ଏବଂ ନା ବୋଲି କହିଲେ। ଶହେ ବର୍ଷ ମଧ୍ୟରେ ‘ହାଉସ୍ ଅଫ୍ କମନ୍ସ୍’ରେ ଏହା ହେଉଛି କୌଣସି ସରକାରଙ୍କର ସବୁଠୁ ବଡ଼ ପରାଜୟ।
ଗହଳିଭରା ‘କମନ୍ସ୍ ଚାମ୍ବର୍’ରେ ଫଳାଫଳ ଘୋଷଣା କରି ବାଚସ୍ପତି ଜନ୍ ବର୍କାଓ କହିଲେ, ‘ନା’ମାନେ ବିଜୟ ହୋଇଛନ୍ତି।
ବୁଧବାର ଦିନ ସାଂସଦମାନେ ବିରୋଧୀଦଳ ନେତା ଜେରେମି କୋର୍ବିନ୍ଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ପାର୍ଲାମେଣ୍ଟ୍ରେ ଭୋଟ୍ ଦେବେ। ଯଦି ସରକାର ହାରନ୍ତି, ତେବେ ଫଳାଫଳ ନିଜ ସପକ୍ଷରେ ନେବାକୁ ୧୪ ଦିନ ସମୟ ମିଳିବ କିଂବା ଦେଶରେ ପୁଣି ଜାତୀୟ ନିର୍ବାଚନ ଆୟୋଜନ କରାଯିବ।