ପ୍ରଧାନମନ୍ତ୍ରୀ ବି କଲ୍ ଡ୍ରପ୍‌ର ଶିକାର

ନୂଆଦିଲ୍ଲୀ : କଲ୍‌ ଡ୍ରପ୍ ସମସ୍ୟା କେବଳ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ସୀମିତ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମସ୍ୟାରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଦିଲ୍ଲୀ ବିମାନ ବନ୍ଦରରୁ ତାଙ୍କ ସରକାରୀ ବାସଭବନକୁ ଯିବା ସମୟରେ ସେ କିଭଳି କଲ୍‌ ଡ୍ରପ୍‌ର ଶିକାର ହୋଇଛନ୍ତି ତାହା ସଚିବମାନଙ୍କ ଆଗରେ ବଖାଣିଛନ୍ତି। କଲ୍‌ ଡ୍ରପ୍‌ ପାଇଁ ମୋବାଇଲ ଅପରେଟରମାନେ କେତେ ଜରିମାନା ଦେଉଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିବା ସହିତ ଏହି ସମସ୍ୟାର ସମାଧାନ ଲାଗି ଦୂରସଞ୍ଚାର ବିଭାଗ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କଲ୍‌ ଡ୍ରପ୍ ସମସ୍ୟାକୁ ପ୍ରଯୁକ୍ତି ମାଧ୍ୟମରେ ସମାଧାନ କରିବା ସହ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ମୋବାଇଲ ଅପରେଟରମାନେ ଉଚ୍ଚମାନର ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ୨୬ ତାରିଖରେ ପ୍ରମୁଖ ସଚିବମାନଙ୍କ ସହ ପ୍ରଗତି ଯୋଜନା ନେଇ ମାସିକ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀମାନେ ଅବତରଣ କରିବା ପରେ କଲ୍ କରିବା ଲାଗି କିଭଳି ବାରମ୍ବାର ପ୍ରଚେଷ୍ଟା କରିଥାନ୍ତି ତାହା ପ୍ରଧାନମନ୍ତ୍ରୀ ବଖାଣିଥିଲେ। କଲ୍‌ ଡ୍ରପ୍‌ ଏକ ଦେଶବ୍ୟାପୀ ସମସ୍ୟା‌ ହୋଇଥିବାରୁ ଟେଲିକମ ବିଭାଗ ତୁରନ୍ତ ଏହାର ସମାଧାନ ରାସ୍ତା ବାହାର କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ, କଲ୍‌ ଡ୍ରପ୍‌ ପାଇଁ ଅପରେଟର୍‌ମାନଙ୍କଠାରୁ କେତେ ଲେଖାଏଁ ଜରିମାନା ଆଦାୟ କରାଯାଉଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଥିଲେ। ଏହି ସମସ୍ୟାର ସମାଧାନ ଅତ୍ୟାଧୁନିକ ପ୍ରଯୁକ୍ତି ମାଧ୍ୟମରେ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ସୀମାନ୍ତ ଅଞ୍ଚଳରେ ଶତ୍ରୁମାନେ ଯେଭଳି ମୋବାଇଲ ନେଟୱାର୍କର ଦୁରୁପଯୋଗ କରି ଭାରତ ବିରୋଧୀ କାର୍ଯ୍ୟ କରି ନପାରନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଟେଲିକମ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର